କଟକ ଏସ୍ସିବି ମେଡିକାଲ ଛାତରୁ ଅତଡା ଖସି ରୋଗୀ ଆହତ ଘଟଣା

ଆହତଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର, ୦୭/୦୧: କଟକ ବଡ ମେଡିକାଲ ଛାତରୁ ଏକ ଅତଡା ଖସିବାରୁ ଜଣେ ରୋଗୀ ଆହତ ହୋଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଏସ.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳ କଟକର ପୁରୁଣା ଔଷଧ ୱାର୍ଡକୁ ପରିଦର୍ଶନ କରିଥିଲେ । ଛାତରୁ ଅତଡା ପଡି ଆହତ ହୋଇଥିବା ରୋଗୀ ନିମାଇ ଚରଣ ଦାସଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ବିଜୁ ଜନତା ଦଳର ପ୍ରତିନିଧି ଦଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଘଟଣାସ୍ଥଳର ପରିସ୍ଥିତି ବିଷୟରେ ଆଲୋଚନା କରି ଗଭୀର ଚିନ୍ତାପ୍ରକାଶ କରିଛନ୍ତି । ଦଳ କହିଛି ଯେ, ସରକାରୀ ହସ୍ପିଟାଲଗୁଡିକରେ ନିୟମିତ ଭାବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ଆବଶ୍ୟକ, ଏପରି ଦୁର୍ଭାଗ୍ୟଜନକ ଘଟଣା ଆଗାମୀ ଦିନରେ ପୁନରାବୃତ୍ତି ନହେଉ ବୋଲି ଜୋର ଦେଇଥିଲେ ।

ବିଜେଡି ପ୍ରତିନିଧି ଦଳ ଆହୁରି କହିଥିଲା ଯେ, ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ ଅବହେଳା କେବେ ଗ୍ରହଣୀୟ ନୁହେଁ । ଦଳ ଦାବି କରିଛି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ଗ୍ରହଣ କରି ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଉନ୍ନତ କରିବେ ଏବଂ ରୋଗୀମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବେ ।

ବିଜୁ ଜନତା ଦଳ ଆହତ ରୋଗୀ ଏବଂ ତାଙ୍କ ପରିବାରଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛି ଏବଂ ରାଜ୍ୟ ସରକାରକୁ ଅତ୍ୟାବଶ୍ୟକ ଚିକିତ୍ସା ସହାୟତା ସହିତ ଯଥୋଚିତ କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସିଂହ, ମ. ଶାକିଲ୍, ପ୍ରକାଶ ସିଂହ, ତାପସ ମହାନ୍ତି, ସୁଦର୍ଶନ ଜେନା, ଯୁଧିଷ୍ଠିର ବିଶ୍ୱାଳ, ରାଜେନ୍ଦ୍ର ରଣା ଓ ବହୁ ବିଜେଡି କର୍ମୀ ସାମିଲ ଥିଲେ ।