CAG ରିପୋର୍ଟ ପରେ ଇଡି ଆକ୍ସନ, ଖଣି ମାଫିଆଙ୍କ ଠିକଣାରେ ରେଡ୍
ନକଲି Y ଫର୍ମରେ ଆନ୍ଧ୍ରକୁ ବାଲି ଚାଲାଣ
୨.୫ କୋଟି ନଗଦ ଟଙ୍କା ଜବତ
ଗଞ୍ଜାମ, ୧୭/୦୧: ଗଞ୍ଜାମରେ ଦୀର୍ଘଦିନ ଧରି ଚାଲିଆସିଥିବା ବେଆଇନ ବାଲି, ଖଣି ଓ ମଦ ମାଫିଆଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ ଚଢ଼ାଉ କରିଛି। ଶୁକ୍ରବାର ସକାଳୁ ଇଡି ଟିମ୍ ଗଞ୍ଜାମ ଜିଲ୍ଲାରେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ୨୫ଟି ସ୍ଥାନରେ ରେଡ୍ ହୋଇଥିବା ବେଳେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି।
ବ୍ରହ୍ମପୁର ସହରରେ ୫ଟି ସ୍ଥାନ ସମେତ କନିଷି, ଶେରଗଡ଼, ଆସିକା ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଘନଘନ ଚଢ଼ାଉ ଚାଲିଥିଲା। ଏହି ଚଢ଼ାଉ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାଂଶ ସ୍ଥାନରେ ଯାଇଥିବା ବ୍ୟକ୍ତିମାନେ ବିଜେଡିର ନେତା।
ଚଢ଼ାଉରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନାଁ ହେଉଛି ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ହୃଷୀକେଶ ପାଢ଼ୀଙ୍କର। ବ୍ରହ୍ମପୁର ଜୟପ୍ରକାଶ ନଗର ଓ ଶେରଗଡ଼ସ୍ଥିତ ତାଙ୍କ ଘରେ ଚଢ଼ାଉ ହୋଇଥିଲା। ତାଙ୍କ ଘରୁ ଆଲମିରାରେ ଥିବା ପ୍ରାୟ ୨ କୋଟି ଟଙ୍କା ନଗଦ ଜବତ କରାଯାଇଛି, ଯାହାର କୌଣସି ହିସାବ ମିଳିନଥିବାରୁ ଇଡି ଏହାକୁ ଜବତ କରି ନେଇଛି।
ଅନ୍ୟ ସ୍ଥାନଗୁଡ଼ିକ:ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ।
ବିଜିପୁର କାଳୁଆସାହିରେ ହକି ଓରଫ୍ ବିଶ୍ୱଜିତ ପାତ୍ରଙ୍କ ଘର।
ଗାନ୍ଧୀନଗର ନିକଟ ଅମ୍ବିକାନଗରରେ ଶିବପ୍ରସାଦ ପାଢ଼ୀଙ୍କ ଘର ଓ ଷ୍ଟେସନ୍ ରୋଡ୍ରେ ଥିବା ଟୁର୍ ଆଣ୍ଡ୍ ଟ୍ରାଭେଲ୍ସ ଅଫିସ।
କନିଷିର ବିଶିଷ୍ଟ ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର।
ଆସିକା ବ୍ଲକ୍ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁଙ୍କ ସ୍ୱାମୀ ଭଗବାନ ସାହୁଙ୍କ ବାସଭବନ (ମଦ ଓ ବାଲି ବ୍ୟବସାୟୀ)।
ସନ୍ଧ୍ୟାରେ ବ୍ରହ୍ମପୁର ତୁଳସୀନଗରରେ ବ୍ୟବସାୟୀ ସନ୍ତୋଷ ଦଳାଇଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଓ କିଛି ସୁନା ଗହଣା ଜବତ କରାଯାଇଛି। ଏହାକୁ ବ୍ୟାଙ୍କ ଗାଡ଼ିରେ ଇଡି ନେଇଯାଇଛି। ବିଭିନ୍ନ ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି।
ସାଧାରଣ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଚଢ଼ାଉ ପ୍ରାୟ ୨.୫ କୋଟି ଟଙ୍କାର ନଗଦ ଓ ବେନାମୀ ସଂପତ୍ତି ଜବତ କରିଛି। ଏହା ବେଆଇନ ବାଲି ଓ କଳାପଥର ଖଣି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହୋଇଛି।
ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ବର୍ତ୍ତମାନ ଜେଲ୍ରେ ଥିବା ବେଳେ ଉପସଭାପତିଙ୍କ ଘରେ ଚଢ଼ାଉ ରାଜନୈତିକ ମହଲରେ ଛନକା ପଶାଇଛି। ଋଷିକୁଲ୍ୟା, ବାହୁଦା ଓ ବଡ଼ ନଦୀମାନଙ୍କ କୂଳରେ ଚାଲିଥିବା ବେଆଇନ ଖଣିକୁ ନେଇ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ (CAG) ରିପୋର୍ଟ ପରେ ଏହି ଚଢ଼ାଉ ହୋଇଛି।
ବାଲିଘାଟ ସହିତ ୨ଟି କ୍ରସର ଉପରେ ରେଡ୍ କରାଯାଇଥିବା ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ରହିଛି। ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି। ନକଲି Y ଫର୍ମରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ଜଣାପଡ଼ିଛି। ଏବେବି ଚଢାଉ ଜାରି ରହିଥିବା ଇଡି ପକ୍ଷରୁ ସୂଚନା ମିଳିଛି।