ୱାଶିଂଟନ ଡିସି, ୧୭/୦୧: ଟ୍ରମ୍ପଙ୍କ ଅସ୍ତ୍ର ଟାରିଫ ଧମକ। କୌଣସି ଜିନିଷ ଅକ୍ତିଆର ହେଉ କିମ୍ବା ନିଜ ମତ ଅନ୍ୟ ଉପରେ ଜବରଦସ୍ତ ରଖି ସମର୍ଥନ ହାସଲ କରିବା ହେଉ, ସବୁଥିରେ ଟାରିଫ ଧମକ ଦେବାରେ ମାହିର ଟ୍ରମ୍ପ। ପୂର୍ବରୁ ରୁଷିଆ ଠାରୁ ତେଲ କିଣୁଥିବା ରାଷ୍ଟ୍ରକୁ ଟାରିଫ ଧମକ ଦେବା ପରେ ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଠାରୁ ଅତିରିକ୍ତ ଟାରିଫ ହାସଲ କରିବା ପାଇଁ ଚେତାବନୀ ଦେଇଥିଲେ। ଏବେ ପୁଣି ଗ୍ରୀନଲାଣ୍ଡ ଅକ୍ତିଆର ପାଇଁ ଯଦି ତାଙ୍କୁ କୌଣସି ରାଷ୍ଟ୍ର ସମର୍ଥନ ନ କରେ, ତାହାଲେ ଆହୁରି ଅତିରିକ୍ତ ଟାରିଫ ଲଦିବେ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ହ୍ୱାଇଟ୍ ହାଉସ୍ ମିଟିଂରେ କହିଛନ୍ତି ଯେ, ସେ ଗ୍ରୀନଲ୍ୟାଣ୍ଡକୁ ଯୁକ୍ତରାଷ୍ଟ୍ରର ନିୟନ୍ତ୍ରଣରେ ଆଣିବା ପାଇଁ ବିରୋଧ କରୁଥିବା ଦେଶମାନଙ୍କ ଉପରେ ଟ୍ୟାରିଫ୍ (ଆମଦାନି ଶୁଳ୍କ) ଲଗାଇବାକୁ ବିଚାର କରୁଛନ୍ତି। “ଯଦି ଦେଶମାନେ ଗ୍ରୀନଲ୍ୟାଣ୍ଡ ସହ ସହମତ ନ ହୁଅନ୍ତି, ତେବେ ମୁଁ ସେମାନଙ୍କ ଉପରେ ଟାରିଫ ଲଗାଇପାରେ, କାରଣ ଜାତୀୟ ସୁରକ୍ଷା ପାଇଁ ଆମକୁ ଗ୍ରୀନଲ୍ୟାଣ୍ଡ ଦରକାର।” ବୋଲି ଟ୍ରମ୍ପ କହିଛନ୍ତି।
ସୂଚନାଯୋଗ୍ୟ, ଗ୍ରୀନଲ୍ୟାଣ୍ଡ ବର୍ତ୍ତମାନ ଡେନମାର୍କର ଏକ ସ୍ୱାୟତ୍ତ ଅଞ୍ଚଳ (ସେମି-ଅଟୋନୋମସ୍ ଟେରିଟୋରି)। ଟ୍ରମ୍ପ ଏହାକୁ ଯୁକ୍ତରାଷ୍ଟ୍ରର ଅଧୀନରେ ଆଣିବାକୁ ବାରମ୍ବାର ଚାହୁଁଛନ୍ତି, କାରଣ ଏହାର ରଣନୈତିକ ସ୍ଥାନ (ଆର୍କଟିକ୍ ଅଞ୍ଚଳରେ), ଖଣିଜ ସମ୍ପଦ ଏବଂ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛନ୍ତି।
ଟ୍ରମ୍ପ ମୁଖ୍ୟତଃ ଏହି ଟାରିଫ ଧମକ ଡେନମାର୍କ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶ/ନାଟୋ ସହଯୋଗୀମାନଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଯେଉଁମାନେ ଏହାର ବିରୋଧ କରୁଛନ୍ତି।