ସିରିଆ, ୨୦/୦୧: ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) କଏଦୀଙ୍କ ପଳାୟନ ଘଟଣା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। କୁର୍ଦିସ୍ ନ୍ୟୁଜ୍ ୱେବସାଇଟ୍ ରୁଡାଓକୁ ସୂଚନା ଦେଇ କୁର୍ଦ୍ଦିସ୍ ନେତୃତ୍ୱାଧୀନ ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସେସ୍ (ଏସ୍ଡିଏଫ୍)ର ମୁଖପାତ୍ର ଫରହାଦ ଶାମି କହିଛନ୍ତି, ସିରିଆର ଶାଦ୍ଦାଦି (ଆଲ୍-ଶଦ୍ଦାଦି) ଜେଲ୍ରୁ ପ୍ରାୟ ୧,୫୦୦ ଆଇଏସ୍ଆଇଏସ୍ କଏଦୀ ପଳାୟନ କରିଛନ୍ତି।
ହେଲେ ସିରିଆ ଗୃହ ମନ୍ତ୍ରଣାଳୟ ଏତେ ସଂଖ୍ୟକ ପଳାୟନକୁ ଖଣ୍ଡନ କରି କହିଛି ଯେ, ଶାଦ୍ଦାଦି ଜେଲ୍ରୁ ମାତ୍ର ୧୨୦ ଜଣ ଆଇଏସ୍ କଏଦୀ ଖସି ପଳାଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ପଳାୟନ ପରେ ସିରିଆନ୍ ସେନା ଏକକ ଏବଂ ଗୃହ ମନ୍ତ୍ରଣାଳୟର ସୁରକ୍ଷା ବାହିନୀ କଏଦୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ୮୧ ଜଣ ପଳାୟନକାରୀ କଏଦୀଙ୍କୁ ପୁନର୍ବାର ଗିରଫ କରାଯାଇଛି, ଏବଂ ବାକି କଏଦୀଙ୍କ ଖୋଜା ଜାରି ରହିଛି। ସହରରେ କର୍ଫ୍ୟୁ ଜାରି ରହିଛି।
ସିରିଆ ସରକାର ଓ କୁର୍ଦ୍ଦିସ୍-ନେତୃତ୍ୱାଧୀନ ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସେସ୍ (ଏସ୍ଡିଏଫ୍) ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଓ ଅଞ୍ଚଳ ହସ୍ତାନ୍ତର ଚାଲିଥିଲା। ଯେଉଁ ସମୟରେ ଏଭଳି ଘଟିଥିଲା।
ଏହି ଘଟଣା ଏକ ଅସ୍ଥିର ସମୟରେ ଘଟିଛି, ଯେଉଁଠାରେ ଏସ୍ଡିଏଫ୍ ଓ ସିରିଆ ସରକାର ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହୋଇଥିଲା ଏବଂ ଏସ୍ଡିଏଫ୍ ରାକା ଓ ଡେର ଅଲ-ଜୋର ପ୍ରଦେଶରୁ ପଛକୁ ହଟିବାକୁ ରାଜି ହୋଇଥିଲା। ଏହି ଅଞ୍ଚଳଗୁଡ଼ିକ ଆରବ ବହୁଳ ଓ ସିରିଆର ପ୍ରମୁଖ ତୈଳ ଭଣ୍ଡାର ଅଞ୍ଚଳ ଅଟନ୍ତି। ଦୁଇ ପକ୍ଷ ପରସ୍ପରକୁ ଦୋଷାରୋପ କରୁଛନ୍ତି—ସରକାର କହୁଛନ୍ତି ଯେ ଏସ୍ଡିଏଫ୍ ଜାଣିଶୁଣି କଏଦୀଙ୍କୁ ମୁକ୍ତ କରିଛି, ଯେଉଁଠାରେ ଏସ୍ଡିଏଫ୍ କହୁଛି ଯେ ସେନାର ଆକ୍ରମଣ ଯୋଗୁଁ ନିୟନ୍ତ୍ରଣ ହରାଇଛନ୍ତି।
ଆଇଏସ୍ ବିରୋଧୀ ଲଢ଼େଇରେ ଏସ୍ଡିଏଫ୍ ପଶ୍ଚିମ ଦେଶମାନଙ୍କର ମୁଖ୍ୟ ସହଯୋଗୀ ଥିଲା ଏବଂ ହଜାର ହଜାର ଆଇଏସ୍ ସଦସ୍ୟ ଓ ସେମାନଙ୍କ ପରିବାରକୁ ବିଭିନ୍ନ ଜେଲ୍ ଓ ଶିବିରରେ ରଖାଯାଇଛି। ଏହିଭଳି ପଳାୟନ ଅଞ୍ଚଳରେ ଆତଙ୍କବାଦର ବିପଦକୁ ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଇରାକ ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି ଏବଂ ପେସମର୍ଗା ଓ ଫେଡେରାଲ୍ ଫୋର୍ସକୁ ହାଇ ଆଲର୍ଟରେ ରଖାଯାଇଛି, ଯାହାଦ୍ୱାରା କୌଣସି ଆଇଏସ୍ ସଦସ୍ୟ ସୀମା ପାର ନ କରିପାରନ୍ତି। ଏହି ଘଟଣା ସିରିଆର ବର୍ତ୍ତମାନର ରାଜନୈତିକ ଓ ସାମରିକ ଅସ୍ଥିରତାକୁ ଆହୁରି ଜଟିଳ କରି ଦେଇଛି।