ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ଦଖଲ ପ୍ରସଙ୍ଗ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀପୁରା ଗ୍ରାମବାସିଙ୍କ ଆନ୍ଦୋଳନ
ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି
ଝାରସୁଗୁଡା, ୨୧/୦୧(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଗ୍ରାମ ପଞ୍ଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଳ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣାରେ ଶ୍ରିପୁରା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେବା ସତ୍ୱେ ଝାରସୁଗୁଡା ଡିଏଫଓ ଏବଂ ତହସିଲଦାର କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗ୍ରାମବାସୀ ଗ୍ରାମସଭା ମାଧ୍ୟମରେ ଉକ୍ତ ଜଙ୍ଗଲ ଜମିରେ ବୃକ୍ଷ ରୋପଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସୋମବାର ପୂର୍ବାହ୍ନରେ ଶ୍ରିପୁରା ଗ୍ରାମବାସୀ ଡିଏଫଓ ଓ ତହସିଲଦାର ଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ କରି ଏହି ସମସ୍ତ ବିଷୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରିପୁରା ଗ୍ରାମବାସୀଙ୍କ ଦାବିପତ୍ର ଅନୁଯାୟୀ ଗ୍ରାମରେ ଥିବା ଏପିଶୀଳନ କମ୍ପାନୀ ଖାତା ନମ୍ବର ୧୭୮, ପ୍ଲଟ ନମ୍ବର ୪୨୭ କୁ ବେଆଇନ ଭାବେ ବ୍ୟବହାର କରୁଛି । ଏହା ସହିତ ଶ୍ରିପୁରା ଗ୍ରାମବାସୀ ଉକ୍ତ ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ଯୋଜନା ଏକ ପେଡ ମା କେ ନାମ ରେ ହଜାରହଜାର ଚାରା ରୋପଣ କରିଥିଲେ । କିନ୍ତୁ ସେତେବେଳେ ଝାରସୁଗୁଡା ତହସିଲଦାରଙ୍କ ଉପସ୍ଥିତିରେ ରୋପଣ କରାଯାଇଥିବା ଚାରା ଏବଂ ବ୍ୟାରିକେଟକୁ ହଟାଇ ଦିଆଯାଇଥିଲା ।ଏହି ଘଟଣାକୁ ବିରୋଧ କରି ଶ୍ରିପୁରା ଗ୍ରାମବାସୀ ତଥା ଗ୍ରାମ ପଂଚାୟତ ସରପଞ୍ଚ ଗତ ୨୦୨୫ ଅକ୍ଟୋବର ୧୩ ତାରିଖରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ କମ୍ପାନୀ ଠାରୁ ଜଙ୍ଗଲ ଜମି ମୁକ୍ତ କରିବା ଏବଂ ଉକ୍ତ ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ପାଇଁ ଦାବୀ କରିଥିଲେ । ଏହା ସହିତ ବିଭିନ୍ନ ସମୟରେ ଜିଲ୍ଲାପାଳ, ଡିଏଫଓ ଙ୍କୁ ମଧ୍ୟ ବହୁଥର ଜଙ୍ଗଲ ଜମି ପାଇଁ ଗ୍ରାମବାସୀ, ଜନ ପ୍ରତିନିଧି ମାନେ ବାରମ୍ବାର ଦାବୀ କରିଥିଲେ । କିନ୍ତୁ ଡ଼ିଏଫଓ ଏବଂ ତହସିଲଦାର ଏହି ଘଟଣାର ତଦନ୍ତ କାରୀ ଅଧିକାରୀ ହୋଇଥିବା ବେଳେ ସେମାନେ କେଉଁ ସ୍ୱାର୍ଥରେ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଏବଂ ତଦନ୍ତ ପ୍ରକ୍ରିୟା ବିଳମ୍ବ କରୁଛନ୍ତି, ସେ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା । ଫଳରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଶ୍ରିପୁରା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଙ୍କ ସଭାପତିତ୍ବରେ ଏକ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ଏକ ପେଡ ମା କେ ନାମ ଯୋଜନାରେ ବୃକ୍ଷ ରୋପଣ କରି ପରିବେଶ କୁ ସୁନ୍ଦର ସବୁଜ କରିବା ସହିତ ମାନବ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏ ବିଷୟରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଇବା ପାଇଁ ଗ୍ରାମବାସୀ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ । ତେଣୁ ସୋମବାର ପୂର୍ବାହ୍ନ ୧୦ ଟାରେ ଶ୍ରିପୁରା ଗ୍ରାମର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ଝାରସୁଗୁଡା ଡିଏଫଓ ଏବଂ ତହସିଲଦାର ଙ୍କ ବିରୋଧରେ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣିରେ ଦାବୀ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀଙ୍କ ତରଫରୁ କୁହାଯାଇଛି । ଏହି ଦାବିପତ୍ର ଦେବା ସମୟରେ ଶ୍ରିପୁରା ଗ୍ରାମର ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଶ୍ରିପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ଲୋକମୁକ୍ତି ସଙ୍ଘଠ ର ଅନନ୍ତ ପଣ୍ଡା, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ଙ୍କ ସହିତ ଶ୍ରିପୁରା ଗ୍ରାମ ପ୍ରାୟ ୫ ଶହ ରୁ ଜନସାଧାରଣ ଉପସ୍ଥିତ ରହିଥିଲେ । ଏନେଇ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ଙ୍କୁ ପଚାରିବାରୁ ଏହି ଘଟଣା ଏନଜିଟି ତଦନ୍ତ ଭୁକ୍ତ ହୋଇଥିବାରୁ ମତାମତ ଦେବାପାଇଁ ମନା କରିଥିଲେ । ଝାରସୁଗୁଡା ଡିଏଫଓ ଅଶୋକ ମନୁ ଭଟ୍ଟ ଙ୍କୁ ପଚାରିବାରୁ ଜଙ୍ଗଲ ଜମିର ଆଇନ ଏବଂ ଧାରା ଅନୁସାରେ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ।