ଭୁବନେଶ୍ୱର, ୨୧/୦୧: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ନାଁ ନ ନେଇ ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଲେ ନବୀନ। କହିଛନ୍ତି, “ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ। ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି। କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ। ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ନବୀନ କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ଯାହା ପରେ ରାଜନୀତି ସରଗରମ ରହିଥିଲା। କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରିଥିଲେ ଅରବିନ୍ଦ। ବରଂ ଆଗକୁ ପାଟକୁରାବାସୀଙ୍କ ସେବା ଜାରି ରଖିବେ ବୋଲି କହିଥିଲେ।