ସୁନେତ୍ରା ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଶପଥ ଗ୍ରହଣ

ମୁମ୍ବାଇ, ୩୦/୦୧: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେବେ ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଅପରାହ୍ନ ୫ଟାରେ ଶପଥ ନେବେ। NCP ବିଧାୟକ ଦଳ ବୈଠକ ପରେ ଶପଥ ନେବେ ସୁନେତ୍ରା। ବୈଠକରେ ଦଳର ନେତା ଭାବେ ନିର୍ବାଚିତ ହେବେ ସୁନେତ୍ରା।

ଏଥି ସହ ରାଜ୍ୟ ସରକାରଙ୍କ ଅବକାରୀ ଏବଂ କ୍ରୀଡ଼ା ମନ୍ତ୍ରଣାଳୟରେ କାର୍ଯ୍ୟ ଜାରି ରଖିବେ।‌ ଏନସିପି ସୂତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ଫଡନଭିସଙ୍କ ପାଖରେ ରହିବ, କିନ୍ତୁ ପରେ ଏହା ଏନସିପିକୁ ଯିବ।

ବୁଧବାର ସକାଳେ ପୁଣେ ଜିଲ୍ଲାର ବାରାମତୀ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଚାର୍ଟର୍ଡ ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ବିମାନ ପରିଚାରିକା ଏବଂ ଦୁଇଜଣ ପାଇଲଟ୍ ଥିଲେ। ଗୁରୁବାର ଦିନ ବାରାମତୀର ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ରାଷ୍ଟ୍ରୀୟ ସମ୍ମାନ ସହିତ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଭିନେତା ରିତେଶ ଦେଶମୁଖଙ୍କ ସମେତ ଅନେକ ପ୍ରମୁଖ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।