ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ-୨୦୨୬

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ‘ପଟ୍ଟଚିତ୍ର’ ପ୍ରଦର୍ଶିତ

ଭୁବନେଶ୍ବର, ୩୦/୦୧: ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଆୟୋଜିତ ଆଇଆଇସିଡ଼ିଇଏମ-୨୦୨୬ ସମ୍ମିଳନୀରେ ଓଡ଼ିଶାର ବିଶ୍ବ ଐତିହ୍ୟ କଳା ‘ପଟ୍ଟଚିତ୍ର’ କୁ ଏକ ଆନ୍ତର୍ଜାତୀୟ ଉପହାର ଭାବେ ବିଶ୍ବ ଦରବାରରେ ପ୍ରଦର୍ଶିତ କରାଯାଇଛି।

ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆୟୋଜିତ ଏହି ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ’ (IICDEM) ୨୦୨୬, ବିଶ୍ୱର ସର୍ବବୃହତ ଗଣତାତ୍ତ୍ୱିକ ସମ୍ମିଳନୀ ଭାବେ ସ୍ବୀକୃତି ଲାଭ କରିଛି|

ଏଥିରେ ୭୦ ରୁ ଅଧିକ ଦେଶର ପ୍ରତିନିଧୂ ଦଳ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀ ଅବସରରେ ଅନୁଷ୍ଠିତ ଦ୍ବିପାକ୍ଷିକ ବୈଠକରେ, ଆନ୍ତର୍ଜାତୀୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ଵରୂପ ୪୦ ରୁ ଅଧିକ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବା ପାଇଁ ଓଡ଼ିଶାର ଚମତ୍କାର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା।

ପ୍ରଦାନ କରାଯାଇଥିବା ଏହି କଳାକୃତିରେ ‘ରାସଲୀଳା’ ଚିତ୍ରିତ ହୋଇଛି, ଯାହା ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ଭକ୍ତମାନଙ୍କ ମଧ୍ୟରେ ଥିବା ଶାଶ୍ବତ ଓ ଦିବ୍ୟ ପ୍ରେମର ପ୍ରତୀକ । ନିଖୁଣ କାରୁକାର୍ଯ୍ୟ ଏବଂ ପୌରାଣିକ କଥାବସ୍ତୁ ପାଇଁ ପରିଚିତ ଏହି ପଟ୍ଟଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଏବଂ ଶ୍ରୀକୃଷ୍ଣଙ୍କ ଜୀବନୀ ସ୍ଥାନ ପାଇଛି।

ଏହା ଏକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କପଡ଼ା ଉପରେ ପ୍ରାକୃତିକ ଓ ମୃଭିକା ଜନିତ ରଙ୍ଗ ବ୍ୟବ‌ହାର କରି ପ୍ରସ୍ତୁତ କରାଯାଇଥାଏ I ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ପଟ୍ଟଚିତ୍ର ଏକ ପ୍ରାଚୀନ ସ୍କୁଲ୍-ପେଣ୍ଟିଂ ପରମ୍ପରା, ଯାହା ୧୦ମ-୧୨ଶ ଶତାବ୍ଦୀରୁ ଚାଲିଆସୁଛି । ଏହି କଳା ଆଜି ବି ବିଶେଷ କରି ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁରରେ ଜୀବନ୍ତ ରହିଛି, ଯାହା ନିଜର ପରମ୍ପରାକୁ ବଞ୍ଚାଇ ରଖୁଥୁବାରୁ ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତି ପାଇଛି |

ଆଇଆଇସିଡ଼ିଇଏମ-୨୦୨୬ ପାଇଁ ପଟ୍ଟଚିତ୍ରର ଚୟନ ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ ଜ୍ଞାନେଶ କୁମାରଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲା I ସେ ଡିସେମ୍ବର ୨୦୨୫ ରେ ଓଡ଼ିଶା ଗସ୍ତ ସମୟରେ ଏହି କଳାର ଉତ୍କର୍ଷତା ଦେଖିବାକୁ ପାଇଥିଲେ।

ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ, ସେ ଭୁବନେଶ୍ବର ଫେରିବା ବାଟରେ ରଘୁରାଜପୁର ଗ୍ରାମକୁ ଯାଇ ସେଠାକାର କାରିଗରମାନଙ୍କ ଅସାଧାରଣ କଳାକୃତି ଅନୁଧ୍ୟାନ କରିଥିଲେ। ଆଇଆଇସିଡ଼ିଇଏମ-୨୦୨୬ ପଟ୍ଟଚିତ୍ରର ଏହି ପ୍ରଦର୍ଶନ ଓଡ଼ିଶାର ସ୍ଥାୟୀ ସାଂସ୍କୃତିକ ଐତିହ୍ୟ ଏବଂ ଏହାର ବଢୁଥିବା ବିଶ୍ୱସ୍ତରୀୟ ସୁନାମର ପ୍ରମାଣ ଦେଉଛି।