ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର

ଶପଥ ଗ୍ରହଣ ଉତ୍ସବରୁ ଦୂରେଇ ରହିଲେ ଶରଦ ପାୱାର ଓ ସୁପ୍ରିୟା ସୁଲେ

ମୁମ୍ବାଇ, ୩୧/୦୧: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଶନିବାର ମୁମ୍ବାଇର ଲୋକଭବନରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ସେ ମହାରାଷ୍ଟ୍ର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ସୁନେତ୍ରା ପାୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୁନେତ୍ରା ପାୱାରଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସୁନେତ୍ରା ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଏନସିପି ଏବଂ ବିଜେପିର ସମସ୍ତ ବରିଷ୍ଠ ନେତା ଏବଂ ମନ୍ତ୍ରୀ ଉପସ୍ଥିତ ଥିଲେ। ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ସୁନେତ୍ରା ପାୱାରଙ୍କ ଶପଥ ଗ୍ରହଣ ସମାରୋହରୁ ନିଜକୁ ଦୂରେଇ ରଖିଥିଲେ। ଆଜି ସକାଳେ ଶରଦ ପାୱାର କହିଥିଲେ ଯେ, ସୁନେତ୍ରାଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ତାଙ୍କୁ କିଛି କୁହାଯାଇନାହିଁ। ସୁନେତ୍ରାଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ଆସନରେ ବସାଇବା କଥାକୁ ମଧ୍ୟ ସେ ଅବଗତ ନଥିବା କହିଥିଲେ।

ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ, ସୁନେତ୍ରା ପାୱାର ତାଙ୍କ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ ଏବଂ ବର୍ତ୍ତମାନ ଅଜିତ ପାୱାରଙ୍କ ମୃତ୍ୟୁ ଯୋଗୁଁ ଖାଲି ହୋଇଥିବା ବାରାମତୀ ଆସନରୁ ଉପନିର୍ବାଚନ ଲଢ଼ିବେ। ସୂତ୍ର ଅନୁସାରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ତାଙ୍କ ସ୍ଥାନରେ ତାଙ୍କ ବଡ଼ ପୁଅ ପାର୍ଥ ପାୱାରଙ୍କୁ ରାଜ୍ୟସଭାକୁ ପଠାଇପାରେ।

ଶପଥ ଗ୍ରହଣ ପୂର୍ବରୁ, ସୁନେତ୍ରା ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସରକାରୀ ବାସଭବନ ଦେବଗିରି ବଙ୍ଗଳାରେ ସ୍ୱର୍ଗତ ସ୍ୱାମୀ ଅଜିତ ପାୱାରଙ୍କ ଫଟୋକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ବାରାମତୀରେ ବିମାନ ଦୁର୍ଘଟଣାରେ ସ୍ୱର୍ଗତ ଅଜିତ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା।