ସମ୍ ହସ୍ପିଟାଲରେ ବିଶ୍ୱ କୁଷ୍ଠରୋଗ ଦିବସ ପାଳନ
କୁଷ୍ଠରୋଗର ଆରୋଗ୍ୟ ସମ୍ଭବ, ଲାଂଛନା ବିରୁଦ୍ଧରେ ଲଢ଼େଇ ଆବଶ୍ୟକ: ବିଶେଷଜ୍ଞ
ଭୁବନେଶ୍ୱର, ୩୧/୦୧: ଯଦିଓ ଭୟସଙ୍କୁଳ ତଥାପି କୁଷ୍ଠରୋଗ ଏଭଳି ଏକ ବ୍ୟାଧି ଯେଉଁଥିରୁ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହେବାର ସମ୍ଭାବନା ରହିଛି । ତେବେ ଏଥି ନିମନ୍ତେ ଆଗୁଆ ରୋଗ ଚିହ୍ନଟ ଏବଂ ନିୟମିତ ଭାବେ ରୋଗୀକୁ ମଲ୍ଟିଡ୍ରଗ ଥେରାପି ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍-୧ ପକ୍ଷରୁ ବିଶ୍ୱ କୁଷ୍ଠରୋଗ ଦିବସ ପାଳନ ଅବସରରେ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି ।
କୁଷ୍ଠରୋଗର ଆଗୁଆ ପରୀକ୍ଷଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ କେବଳ ଆରୋଗ୍ୟ ଲାଭ କରେ ନାହିଁ ବରଂ ଅକର୍ମଣ୍ୟ ହେବାରୁ ମଧ୍ୟ ମୁକ୍ତି ପାଇଥାଏ । ଏହି ବାର୍ତା ସମାଜରେ ପହଂଚାଇବା ଆମର ଲକ୍ଷ୍ୟ । ସେହିପରି ଏହି ରୋଗକୁ ନେଇ ଯେଉଁ କ୍ରୁର ମନୋଭାବ ରହିଛି ତାକୁ ମଧ୍ୟ ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ।
କୁଷ୍ଠରୋଗ ଏକ ସଂକ୍ରମଣ ଦ୍ୱାରା ବିସ୍ତାର ହେଉଥିବା ରୋଗ ଯାହାକି ମାଇକୋବ୍ୟାକ୍ଟେରିୟମ୍ ଲେପ୍ରା ବ୍ୟାକ୍ଟେରିଆ ଦ୍ୱାରା ଆରମ୍ଭ ହୋଇଥାଏ । କିନ୍ତୁ ଏମ୍ଡିଟି ପ୍ରୟୋଗରେ ଆଗୁଆ ଚିକିତ୍ସା ଦ୍ୱାରା ରୋଗର ଅଗ୍ରଗତିକୁ ପ୍ରତିରୋଧ କରାଯିବା ସହ କୌଣସି ପ୍ରକାର ସ୍ନାୟୁର କ୍ଷତିକୁ ରୋକାଯାଇପାରିବ । ଏହା ଦ୍ୱାରା ଅକର୍ମଣ୍ୟ ହେବାରୁ ରୋଗୀ ରକ୍ଷା ପାଇପାରିବ ବୋଲି ସେ କହିଛନ୍ତି ।
କୁଷ୍ଠରୋଗ ଏତେ ସହଜରେ ବ୍ୟାପି ନଥାଏ । ମାତ୍ର ଲୋକମାନେ କୁଷ୍ଠରୋଗୀଙ୍କ ପ୍ରତି ହୀନମନ୍ୟ ଆଚରଣ କରୁଥିବାରୁ ରୋଗୀଟି ଉପଯୁକ୍ତ ସମୟରେ ପରୀକ୍ଷଣ ଓ ଚିକିତ୍ସାକୁ ଡାକ୍ତରୀ ସାହାଯ୍ୟ ନେବାକୁ ଭୟ କରିଥାଏ । ଏହା ରୋଗର ସଂକ୍ରମଣକୁ ବଢ଼ାଇଥାଏ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।
ଚଳିତ ବର୍ଷ ବିଶ୍ୱ କୁଷ୍ଠରୋଗ ଦିବସର ପ୍ରସଙ୍ଗ ରହିଛି “ଲେପ୍ରସି ଇଜ୍ କ୍ୟୁରେବୁଲ, ଦ ରିୟଲ ଚ୍ୟାଲେଞ୍ଜ ଇଜ୍ ଷ୍ଟିଗ୍ମା” ।
ଏହି ଅବସରରେ ସମ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ୱାକାଥନ୍ରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସଞ୍ଜୟ ରାୟ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଲ୍ଲିକ ଏବଂ ଜିଲ୍ଲା କୁଷ୍ଠରୋଗ ଉପଦେଷ୍ଟା ଡକ୍ଟର ସୌମ୍ୟକାନ୍ତ ଯୋଗ ଦେଇଥିଲେ । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଇନ୍ଫେକ୍ସିୟସ୍ ଡିଜିଜେସ୍ ବିଭାଗ ଏବଂ ସ୍କିନ୍, ଭେନେରୋଲୋଜି ଆଣ୍ଡ ଡର୍ମାଟୋଲୋଜି ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଡାକ୍ତର, ନର୍ସ ଓ ଚିକିତ୍ସିତ ହେଉଥିବା ରୋଗୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଡାକ୍ତର ରାୟ ସମସ୍ତଙ୍କୁ ଏକତ୍ରିତ ହୋଇ କୁଷ୍ଠରୋଗ ବିରୁଦ୍ଧରେ ଲଢ଼େଇ କରି ରୋଗର ନିରାକରଣର ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସରକାରଙ୍କ ପକ୍ଷରୁ କୁଷ୍ଠରୋଗ ନିରାକରଣ ନେଇ ମାଗଣା ଏମ୍ଡିଟି ଔଷଧ ପ୍ରଦାନ କରାଯାଉଥିବା ସେ କହିଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଆଡିସ୍ନାଲ୍ ଡିନ୍ ତଥା ସ୍କିନ୍ ଆଣ୍ଡ ଭିଡି ବିଭାଗର ପ୍ରଫେସର ଡାକ୍ତର ଅଜୟ ଜେନା ଓ ଇନ୍ଫେକ୍ସିୟସ୍ ଡିଜିଜେସ୍ ବିଭାଗର ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ଓ ଡାକ୍ତର ସତୀଶ ସ୍ୱାଇଁ ଉପସ୍ଥିତ ଥିଲେ ।