ଭୁବନେଶ୍ୱର: ଜନ୍ମଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ।
ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବହୁ ବର୍ଷଧରି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ନିଯୁକ୍ତିକୁ ନିୟମିତ କରିବା ପାଇଁ ଦାବି କରି ଆସୁଥିଲା ।
ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପରସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା ।