ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ

୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ମିଳିଲା ସମ୍ମାନଜନକ ଗ୍ରାମୀ ଆୱାର୍ଡ

ନୂଆଦିଲ୍ଲୀ, ୦୨/୦୨: ସଂଗୀତ ଜଗତର ସବୁଠାରୁ ପ୍ରତିଷ୍ଠିତ ଗ୍ରାମୀ ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଲସ୍ ଆଞ୍ଜେଲସ୍‌ରେ ଅନୁଷ୍ଠିତ ହୋଇଥିଲା ଏବଂ ଟ୍ରେଭର ନୋଆଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ତିବ୍ଦତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଦଲାଇ ଲାମା ୯୦ ବର୍ଷ ବୟସରେ ତାଙ୍କର ପ୍ରଥମ ଗ୍ରାମୀ ପୁରସ୍କାର ଗ୍ରହଣ କରିଥିଲେ। ତେବେ ଭାରତୀୟ ସୀତାର ବାଦକ ଅନୁଷ୍କା ଶଙ୍କର ଦୁଇଟି ନାମାଙ୍କନ ସତ୍ତ୍ୱେ କୌଣସି ପୁରସ୍କାର ଜିତିପାରି ନଥିଲେ।

ତଥାପି, ଭାରତୀୟ କଳାକାରମାନେ ପୁଣି ଥରେ ଗ୍ରାମି ରେଡ୍ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଥିଲେ। ଏଥିରେ ଅନୁଷ୍କା ଶଙ୍କର, ସିଦ୍ଧାନ୍ତ ଭାଟିଆ, ଶକ୍ତି ଏବଂ ଚାରୁ ସୁରୀ ସାମିଲ ଥିଲେ। ଦଲାଇଲାମା ତାଙ୍କ ଆଲବମ୍ “ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ ଲାମା” ପାଇଁ ଶ୍ରେଷ୍ଠ ଅଡିଓ ବୁକ୍, ନାରେସନ୍ ଏବଂ ଷ୍ଟୋରୀଟେଲିଙ୍ଗ ରେକର୍ଡିଂ ପାଇଁ ପୁରସ୍କାର ପାଇଥିଲେ। ୬୮ତମ ଗ୍ରାମୀ ପୁରସ୍କାର ସମାରୋହରେ ଦଲାଇ ଲାମା ସଂଗୀତ ଜଗତର ସବୁଠାରୁ ମର୍ଯ୍ୟାଦାଜନକ ସମ୍ମାନ ପାଇଲେ।

ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଏବଂ ବୈଷୟିକ କଳାକାରମାନଙ୍କୁ ସଂଗୀତରେ ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଦଲାଇ ଲାମା ଆମେରିକାର ସୁପ୍ରିମକୋର୍ଟର ବିଚାରପତି କେତାଞ୍ଜି ବ୍ରାଉନ୍ ଜ୍ୟାକସନଙ୍କୁ ପରାସ୍ତ କରି ଏହି ବର୍ଗରେ ଗ୍ରାମୀ ଜିତିଥିଲେ। ବ୍ରାଉନ୍ ଜ୍ୟାକସନ ହେଉଛନ୍ତି ଆମେରିକାର ସୁପ୍ରିମକୋର୍ଟର ପ୍ରଥମ କୃଷ୍ଣକାୟ ମହିଳା ବିଚାରପତି। ସୀତାର ବାଦକ ଅନୁଷ୍କା ଶଙ୍କର ଏହି ବର୍ଷ ଦୁଇଟି ନାମାଙ୍କନ କରିଥିଲେ।