ଭୁବନେଶ୍ବର, ୦୨/୦୨: ଆଜି (ସୋମବାର) ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଚନ୍ଦକା ଶିଳ୍ପାଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି | ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଜବରଦଖଲ ଉଚ୍ଛେଦ ପାଇଁ ଚନ୍ଦକା ଶିଳ୍ପାଞ୍ଚଳରେ ପହଞ୍ଚିଲା | ହେଲେ ସେଠାରେ ଦୋକାନୀ ମାନେ ଜୋରଦାର୍ ବିରୋଧ କରିଥିଲେ | ବ୍ୟବସାୟୀ ଓ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟରେ ଦୋକାନ ଭାଙ୍ଗିବାକୁ ନେଇ ଯୁକ୍ତିତର୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା |
ବିନା ପୋଲିସ ସହାୟତାରେ ଲୋକଙ୍କୁ ବୁଝାଇଥିଲେ ଏନଫୋର୍ସମେଣ୍ଟ ଟିମ୍ | ପ୍ରବଳ ବିରୋଧ ଯୋଗୁଁ କିଛି ସମୟ ପାଇଁ ଉଚ୍ଛେଦରେ ବାଧା ସୃଷ୍ଟି ହୋଇଥିଲା | ପରିସ୍ଥିତି ଶାନ୍ତ ହେବା ପରେ ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା |
ଏଥିରେ 18 ଟି ଷ୍ଟଲ୍, 4 ଟି କ୍ୟାବିନ୍, 10 ଟି ବାଉଁଶ ନିର୍ମିତ ସେଡ, ଗୋଟିଏ ଟିଣ ସେଡ, 4 ଟି ସାଇନ୍ ବୋର୍ଡ, 20 ଟି ହୋଟେଲ୍, ଗୋଟିଏ ୱେଲଡିଙ୍ଗ ଦୋକାନ ଓ 50 ଫୁଟ ଲମ୍ବର ସଂପ୍ରସାରଣ ଅଂଶ ଭଙ୍ଗାଯାଇଥିଲା | ଉଚ୍ଛେଦ ବେଳେ ବିଡିଏ ପ୍ରବର୍ତ୍ତନ ଅଧିକାରୀ, ଦେବରାଜ ସେଠି, ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ 1,2,3,4,5 ଓ 6ର ଟିମ୍ ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥିଲେ | ଇଡକୋ ଜମି ମାଡି ବସି ଦୋକାନ, ହୋଟେଲ କରି ବ୍ୟବସାୟ କରୁଥିଲେ |