ରାକ୍ଷସ ବାପା: ସରପଞ୍ଚ ହେବାକୁ ଝିଅକୁ ହତ୍ୟା କଲା

କେନାଲରେ ଫିଙ୍ଗି ନିଖୋଜ ହେବାର ନାଟକ ରଚିଲା

ନାନ୍ଦେଡ, ୦୩/୦୨: ସରପଞ୍ଚ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଅମାନୁଷିକ କାଣ୍ଡ। ନିଜ ଝିଅକୁ ବି ଛାଡିଲେନି। ପଦରେ ବସିବା ଲୋଭ ଶେଷରେ ନିଜ ଝିଅକୁ ହତ୍ୟା କରିବାକୁ ବାଧ୍ୟ କରାଇଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ।

ମହାରାଷ୍ଟ୍ରର ଜଣେ ବ୍ୟକ୍ତି, ଯିଏକି ତିନି ସନ୍ତାନର ପିତା, ରାଜ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛୁକ ଥିଲେ, ସେ ତାଙ୍କ ଛଅ ବର୍ଷର ଝିଅକୁ ତେଲେଙ୍ଗାନାର ଏକ କେନାଲକୁ ଠେଲି ଦେଇ ହତ୍ୟା କରିଛନ୍ତି।

ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛି ସେମାନେ ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ। ତେଣୁ ଏଭଳି କାଣ୍ଡ ଭିଆଇଛନ୍ତି ଏହି ବ୍ୟକ୍ତି।

ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ମୁଖେଦ ତାଲୁକାର କେରୁର ଗ୍ରାମର ବାସିନ୍ଦା ଉକ୍ତ ଯୁବକ ଜାନୁଆରୀ ୨୯ ତାରିଖରେ ନିଜ ଝିଅ ସହିତ ବାଇକରେ ନିଜାମାବାଦ ଜିଲ୍ଲାକୁ ଆସି ସେଠାରେ ଏକ କେନାଲରେ ଫିଙ୍ଗି ଦେଇଥିଲେ। କେନାଲରେ ଝିଅର ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ।

ନିଜାମାବାଦ ପୋଲିସ କମିଶନର ପି ସାଇ ଚୈତନ୍ୟ କହିଛନ୍ତି ଯେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି। ପୋଲିସ ଜାଣିବାକୁ ପାଇଛି ଯେ ମୃତ ଝିଅଟି ଉକ୍ତ ବ୍ୟକ୍ତିଙ୍କ ତିନି ସନ୍ତାନ ମଧ୍ୟରୁ ଜଣେ। ଅଭିଯୁକ୍ତ ଜଣକ ମୁଖେଦରେ ଏକ ସେଲୁନ୍ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ସେ ତାଙ୍କ ସ୍ତ୍ରୀ ଏବଂ ତିନି ପିଲା (ଦୁଇ ଝିଅ ଏବଂ ଗୋଟିଏ ପୁଅ) ସହିତ ରହୁଥିଲେ। କିନ୍ତୁ ମହାରାଷ୍ଟ୍ରରେ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଲଢ଼ିବା ପାଇଁ ତାଙ୍କର ଯୋଜନା ଥିଲା। କିନ୍ତୁ ଯେହେତୁ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିଲେ, ତେଣୁ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯୋଗ୍ୟତା ପୂରା କରି ପାରୁନଥିଲେ।

ତେଣୁ ବର୍ତ୍ତମାନର ସରପଞ୍ଚ ତାଙ୍କୁ ଏକ ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେ ତାହା ନ କରି ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ‌। ହେଲେ ସେଥିରେ ସେ ବିଫଳ ହୋଇଥିଲେ।

ତା’ପରେ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଯେ, ତାଙ୍କ ଗୋଟିଏ ସନ୍ତାନକୁ ହତ୍ୟା କରି ପିଲାଟି ନିଖୋଜ ହୋଇଥିବା ଦର୍ଶାଇଥାନ୍ତେ। ତେଣୁ ଯୋଜନା ମୁତାବକ, ସେ ତାଙ୍କ ନିଜ ଝିଅକୁ କେନାଲରେ ଫିଙ୍ଗି ହତ୍ୟା କରିଥିଲେ।

ଏହି ଘଟଣା ସାମନାକୁ ଆସିବା ପରେ ପୋଲିସ ଉକ୍ତ ବ୍ୟକ୍ତି ଓ ବର୍ତ୍ତମାନର ସରପଞ୍ଚଙ୍କୁ ଗିରଫ କରିଛି।