“ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ

ମା' ଓ ଭଉଣୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା କ୍ଷେତ୍ରରେ ଏକ ବଳିଷ୍ଠ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ: ମନମୋହନ ସାମଲ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର, ୦୩/୦୨: ରାଜ୍ୟରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଆଜି ଶୁଭାରମ୍ଭ କରି ୨୦୧ ଦଂପତ୍ତିଙ୍କ ସାମୁହିକ ବିବାହ ଅବସରରେ କନ୍ୟାଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ କନ୍ୟାମାନଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ । ୪୫ ହଜାର ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଂଟକୁ ଏବଂ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସଂପାଦନା ପାଇଁ ଖର୍ଚ୍ଚ ହେବ । ଯୋଜନା ଅନୁସାରେ କନ୍ୟାର ବୟସ ୧୮ ରୁ ୩୫ ବର୍ଷ ହେବା ସହ ରାଜ୍ୟର ସ୍ଥାୟୀବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ବଜେଟରେ ୫୯ କୋଟି ଟଙ୍କା ମଧ୍ୟ ବ୍ୟୟବରାଦ କରାଯାଇଛି । ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ଉପରେ ବିବାହର ଆର୍ଥିକ ଭାର ଲାଘବ ହେବ । ରାଜ୍ୟର ଅଗଣିତ ମାଁ ଓ ଭଉଣୀଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ଯୈାତୁକ ପ୍ରଥା ବିଲୋପ ପାଇଁ ଅଧିକ ପ୍ରୋତ୍ସାହନ ମିଳିବ । ଏଥି ସହ ରାଜ୍ୟରେ ମାଁ ଓ ଭଉଣୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରାଙ୍କ ଏହି ଯୋଜନା ଏକ ବଳିଷ୍ଠ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସମ୍ମାନ, ସଶକ୍ତିକରଣକୁ ସୁଦୃଢ କରିବା ସହିତ “ମହିଳା ନେତୃତ୍ୱାଧିନ ବିକାଶ”କୁ ଶକ୍ତି ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।