ବିଧାନସଭା ପରିସରରେ ଶ୍ରାଦ୍ଧବାର୍ଷିକ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
‘ଭାରତବର୍ଷରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧୁସୂଦନ’
ଭୁବନେଶ୍ୱର, ୦୪/୦୨: ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶାରେ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡ଼ିଶାର ଏବଂ ଓଡ଼ିଆ ଜାତିର ଉନ୍ନତି ଓ ସ୍ୱାର୍ଥରକ୍ଷା ତଥା ସ୍ୱାଭିମାନ ବଜାୟ ରଖିବା ପାଇଁ ମଧୁବାବୁ ସର୍ବସ୍ୱ ତ୍ୟାଗ କରିଥିଲେ । ଛାତ୍ର ଜୀବନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଜୀବନ ଥିଲା ସଂଘର୍ଷମୟ । ସେ ସାରାଜୀବନ ଦେଶ ଓ ଜାତି ପାଇଁ ସଂଘର୍ଷ କରି ଭାରତବର୍ଷରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହାଫଳରେ ଓଡ଼ିଆ ଜାତି ଆଜି ଭାରତବର୍ଷରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାପୂର୍ଣ୍ଣ ଆସନ ହାସଲ କରିପାରିଛି ।
ଆଜି ମଧୁସୂଦନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ପୂର୍ବତନ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଓ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।