ଝାରସୁଗୁଡା, ୦୫/୦୨ (ଦର୍ଶନ ନ୍ୟୁଜ): ଝାରସୁଗୁଡା ଜିଲାରେ ଧାନ କିଣାକୁ ନେଇ ଆରମ୍ଭରୁ ଘୋର ଅବ୍ୟବସ୍ଥା ଲାଗି ରହିଛି । ଧାନ ବିକ୍ରି ହେଉନାହିଁ, ଯେଉଁ ଚାଷୀର ଯେତେ ପରିମାଣରେ ଟୋକନ ଆସିବା କଥା ସେତିକି ଟୋକନ ଆସିନାହିଁ । ଯେଉଁ ଚାଷୀଙ୍କ ଟୋକନ ଆସିଛି, ସେମାନଙ୍କର ଟୋକନ ଅବଧି ମଧ୍ୟ ସାରିଗଲାଣି, ଧାନ କିଣିବା ପାଇଁ ମଣ୍ଡି ମାନଙ୍କ ପାଇଁ ଟାରଗେଟ ନାହିଁ । ଯେଉଁ ଧାନ କିଣିଛନ୍ତି ସେଥିରେ କୁଇଣ୍ଟାଲ ପ୍ରତି ୫କେଜିରୁ ୮ କେଜି ପର୍ଯ୍ୟନ୍ତ କଟଣୀଛଟଣି କରି ଧାନ କିଣିଛନ୍ତି । ଏଭଳି ଅବ୍ୟବସ୍ଥା ଭିତରେ ଝାରସୁଗୁଡ଼ା ଜିଲ୍ଲାପାଳ କଲା ଆଇନ ଆଣିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାପାଳ ଙ୍କ ନିୟମ ପାଳନ କରିବାକୁ ଯାଇ ଯୋଗାଣ ଅଧିକାରୀ ଓ ଅନ୍ୟ କର୍ମଚାରୀ ଅଟକ ରହିଛନ୍ତି । ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ ନେବା ବେଳେ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରାଙ୍କ ସହିତ ଯୋଗାଣ ବିଭାଗର ୮ଜଣ କର୍ମଚାରୀଙ୍କୁ ଉତ୍ୟକ୍ତ ହୋଇ ଚାଷୀମାନେ ଝରିଆବାହାଳ ଠାରେ ଅଟକ ରଖିଛନ୍ତି । ବର୍ତ୍ତମାନ ଝାରସୁଗୁଡା ଜିଲାରେ ଧାନ ବିକିବାକୁ ହେଲେ ଚାଷୀଙ୍କ ଘରେ ଧାନ ନିହାତି ରହିବା ଦରକାର ଏବଂ ଧାନ ସହିତ ଚାଷୀଙ୍କ ଫଟୋ ଟ୍ୟାଗ କରିବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଘଟଣାକୁ ଜିଲା କୃଷକ ସଂଗଠନ ବିରୋଧ କରିଛି । ଗୁରୁବାର ଜିଲା ସାରା କୃଷକମାନେ ଯୋଗାଣ ବିଭାଗର ବିରୋଧରେ ପ୍ରତିବାଦ କରୁଥିବା ଜଣାପଡିଛି । ଧାନ ଗାଡି ଛାଡିବା, ମଣ୍ଡିଗୁଡିକୁ ଟାର୍ଗେଟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛଡାଯିବ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରାସ୍ତାରେ ବସାଇ ପ୍ରତିବାଦ କରାଯାଉଛି ।