ୟୁପିଏସସି ନିୟମରେ ବଡ଼ ପରିବର୍ତ୍ତନ

ଏକାଧିକ ଥର ପରୀକ୍ଷା ଦେଇ ପାରିବେନି IAS, IFS!

ନୂଆଦିଲ୍ଲୀ, ୦୫/୦୨: ସିଭିଲ୍ ସର୍ଭିସ ପରୀକ୍ଷା (ସିଏସ୍‌ଇ) ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୯୩୩ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହ ଚଳିତ ବର୍ଷ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଆଇଏଏସ, ଆଇପିଏସ ଓ ଆଇଏଫଏସ ପାଇବା ପରେ ବି ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ନୂଆ କଟକଣା ଲଗାଯାଇଛି।

ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍‌ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରିଲିମ୍‌ ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମେନ୍ସ ଦେଇପାରିବେ ନାହିଁ।

ଆଇପିଏସ୍‌ ଅଧିକାରୀମାନେ ପୁନର୍ବାର ଆଇପିଏସ୍‌ ସେବା ଚୟନ କରିପାରିବେ ନାହିଁ। ସେମାନଙ୍କୁ କେବଳ ଆଇଏଏସ୍‌, ଆଇଏଫ୍‌ଏସ୍‌ କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ସେବା ପାଇଁ ପରୀକ୍ଷା ଦେବାକୁ ପଡ଼ିବ।

ଯେଉଁ ପ୍ରାର୍ଥୀମାନେ ସିଏସ୍‌ଇ ୨୦୨୬ ମାଧ୍ୟମରେ କୌଣସି ସେବାରେ ନିଯୁକ୍ତି ପାଇବେ, ସେମାନଙ୍କୁ ରାଙ୍କ ସୁଧାରିବା ପାଇଁ ସିଏସ୍‌ଇ ୨୦୨୭ରେ କେବଳ ଗୋଟିଏ ଥର ସୁଯୋଗ ମିଳିବ। ଏହି ସୁଯୋଗ ବ୍ୟବହାର କରିବା ପରେ ସେମାନେ ଚାକିରିରୁ ଇସ୍ତଫା ନ ଦେଇ ୨୦୨୮ କିମ୍ବା ତା’ପରବର୍ତ୍ତୀ କୌଣସି ପରୀକ୍ଷା ଦେଇପାରିବେ ନାହିଁ। ୨୦୨୫ କିମ୍ବା ତା’ ପୂର୍ବ ବ୍ୟାଚ୍‌ର ଅଧିକାରୀଙ୍କ ପାଇଁ ୨୦୨୬ ଓ ୨୦୨୭ ପରୀକ୍ଷା ଶେଷ ସୁଯୋଗ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୨୪ରେ ପ୍ରିଲିମ୍ସ ଅନୁଷ୍ଠିତ ହେବ।