ଲାଇନଚ୍ୟୁତ କୋଚ୍‌ଗୁଡ଼ିକ ପୁନଃସ୍ଥାପନ

ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର, ୦୫/୦୨: ଆଜି ସକାଳ ସମୟ ୦୮:୫୧ ଘଟିକା ସମୟରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଜଖପୁରା ୟାର୍ଡ ସେକ୍ସନ ନିକଟରେ ଟ୍ରେନ୍ ନମ୍ବର ୨୨୬୧୧ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଦିବା ୧୩:୦୫ ଘଟିକା ସମୟରେ ପୁନଃ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଏଠାରେ କହିରଖୁଛୁ ଯେ, ଏସି ୨-ଟାୟାର କୋଚ୍‌କୁ ୧୩:୩୦ ସମୟରେ ପୁନଃସ୍ଥାପନ କରାଯାଇଥିଲା, ତା’ପରେ ପ୍ରଥମ ଜେନେରାଲ କୋଚ୍କୁ ୧୩:୫୦ ଘଟିକା ସମୟରେ ଏବଂ ଦ୍ୱିତୀୟ ଜେନେରାଲ କୋଚ୍କୁ ୧୪:୪୫ ଘଟିକା ସମୟରେ ପୁନଃସ୍ଥାପନ କରାଯାଇଥିଲା। ଏହା ପରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ କରାଯାଇଥିଲା।

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟକୁ କଡ଼ାକଡ଼ି ତଦାରଖ କରିଥିଲେ।

ପୂର୍ବତଟ ରେଳପଥ ମଧ୍ୟ କର୍ତ୍ତବ୍ୟରତ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉଦାହରଣୀୟ ସତର୍କତା ଏବଂ ଉପସ୍ଥିତ ବୁଦ୍ଧିକୁ ମଧ୍ୟ ପ୍ରଶଂସା କରିଛି, ଯେଉଁମାନେ ଟ୍ରେନ୍‌ରୁ ଅସ୍ୱାଭାବିକ ଶବ୍ଦ ଏବଂ ଧୂଆଁ ଦେଖିଥିଲେ ଏବଂ ଲୋକୋ ପାଇଲଟ୍‌ଙ୍କୁ ଟ୍ରେନ୍ ଅଟକାଇବାକୁ ସତର୍କ କରିଥିଲେ। ସେମାନେ ଯାତ୍ରୀମାନଙ୍କୁ ଶାନ୍ତ ରହିବା ଏବଂ ହଠାତ୍ ଓହ୍ଲାଇ ନ ଯିବାକୁ ପରାମର୍ଶ ଦେଇ ଯାତ୍ରୀ ସୁରକ୍ଷାକୁ ଆହୁରି ସୁନିଶ୍ଚିତ କରିଥିଲେ, ଯାହା ଫଳରେ ଆତଙ୍କ ଏବଂ ସମ୍ଭାବ୍ୟ ମୃତାହତଙ୍କୁ ରୋକାଯାଇପାରିଲା। ସେମାନଙ୍କର ସମୟୋଚିତ ପଦକ୍ଷେପ ଏକ ବଡ଼ ଦୁର୍ଘଟଣାକୁ ଏଡାଇବା ଏବଂ ଦ୍ରୁତ ବିପର୍ଯ୍ୟୟ ପ୍ରତିକ୍ରିୟାକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ପୂର୍ବତଟ ରେଳପଥ ଏହାର କର୍ମଚାରୀମାନଙ୍କ ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିବା ସହିତ ଟ୍ରେନ ସେବାଗୁଡିକର ନିରାପଦ ଏବଂ ସମୟୋଚିତ ସ୍ୱାଭାବିକତା ସୁନିଶ୍ଚିତ କରିବାରେ ଯାତ୍ରୀମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି।