ପୁରୀରେ ‘ଭାରତୀୟ ମଜଦୁର ସଂଘ’ର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ
• ସାମାଜିକ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ହେବା, ମୋ ପାଇଁ ସୌଭାଗ୍ୟର ବିଷୟ • ମଧ୍ୟାହ୍ନ ଭୋଜନର ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର କାମ କରୁଛନ୍ତି • ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ 'ସର୍ବନିମ୍ନ ମଜୁରୀ' ବୃଦ୍ଧି କରିଛନ୍ତି ମୋଦୀ ସରକାର • ‘ବିକଶିତ ଭାରତ’ ପାଇଁ ମାନବ ସମ୍ବଳର କାର୍ଯ୍ୟଶକ୍ତି ୫୦% ରୁ ୭୫% କୁ ବୃଦ୍ଧି କରିବା • ଏଆଇ ଯୁଗରେ ୱାର୍କଫୋର୍ସକୁ ନିରନ୍ତର 'ସ୍କିଲିଂ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂ' କରିବା
ଶ୍ରମିକ କଲ୍ୟାଣ ଏକ ‘ବୈଚାରିକ ଆନ୍ଦୋଳନ’: ଧର୍ମେନ୍ଦ୍ର ପ୍ରଧାନ
ପୁରୀ/ଭୁବନେଶ୍ୱର, ୦୭/୦୨: ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ୱବାନ ବୈଚାରିକ ଆନ୍ଦୋଳନ ଯାହା ରାଷ୍ଟ୍ର ନିର୍ମାଣର ମୂଳଦୁଆ ସଦୃଶ । ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆଦର୍ଶରେ ‘ଶ୍ରମର ସମ୍ମାନ’ ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ସମର୍ପିତ । ସଂଗଠନ ନିଜର ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଏବଂ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସହିତ କାର୍ଯ୍ୟ କରି ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି । ଶ୍ରମଶକ୍ତିକୁ ସସମ୍ମାନ ଜୀବନ ଦେଲେ ଅର୍ଥନୀତି ଦୁଇଗୁଣିତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ ‘ସର୍ବନିମ୍ନ ମଜୁରୀ’ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି ।
ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାବଦରେ ସୂଚନା ଦେଇ ସେ କହିଛନ୍ତି, ମୋର ସାମାଜିକ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ଭାରତୀୟ ମଜଦୁର ସଂଘ ଆଜି ଏକ ଦାୟିତ୍ୱବାନ ସାମାଜିକ ଆନ୍ଦୋଳନର ରୂପ ନେଇଛି। ଏହି ସଂଗଠନ ଶ୍ରମକୁ କେବଳ ଜୀବିକାର ମାଧ୍ୟମ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣର ଆଧାରଶିଳା ଭାବେ ଗ୍ରହଣ କରି ସନ୍ତୁଳିତ ଓ ସମନ୍ୱିତ ବିକାଶର ମାର୍ଗ ପ୍ରଶସ୍ତ କରୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତରେ ‘ୱାର୍କିଂ ଏଜ୍ ଗ୍ରୁପ୍’ ମଧ୍ୟରେ ପ୍ରାୟ ୯୦ କୋଟି ଲୋକ ଅଛନ୍ତି, ଯେଉଁଥିରୁ ପ୍ରାୟ ୫୦ ପ୍ରତିଶତ ବାସ୍ତବରେ କାର୍ଯ୍ୟରତ । ଏହି ୫୦ କୋଟି ଶ୍ରମଜୀବୀଙ୍କୁ ବୈଚାରିକ ସ୍ପଷ୍ଟତା ପ୍ରଦାନ କରିବାରେ ବିଏମଏସ ଏକ ‘କଷଟି ପଥର’ ସଦୃଶ କାର୍ଯ୍ୟ କରିଛି । ବର୍ତ୍ତମାନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଯୁଗରେ ଆମ ଶ୍ରମଶକ୍ତିର ଅଂଶଗ୍ରହଣକୁ ୫୦ ପ୍ରତିଶତରୁ ୭୫ ପ୍ରତିଶତକୁ ବୃଦ୍ଧି କଲେ ହିଁ ଦେଶ ବିକଶିତ ହେବାର ଲକ୍ଷ୍ୟ ପୂରଣ କରିପାରିବ ।
ଆଗାମୀ ଦିନର ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଦେଶ ୱାର୍କଫୋର୍ସକୁ ନିରନ୍ତର ‘ସ୍କିଲିଂ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂ’ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତିରେ ‘ରୋଜଗାର ସହିତ ପଢିବା’ ବ୍ୟବସ୍ଥା କରାଯାଇଛି। ଏକବିଂଶ ଶତାବ୍ଦୀର ୱାର୍କଫୋର୍ସକୁ ‘ଗ୍ଲୋବାଲ ଷ୍ଟାଣ୍ଡାର୍ଡ’ କରିବା, ଯାହା ବିଶ୍ୱର କଲ୍ୟାଣ ସବୁବେଳେ ଆଗଭର ରହିବ ବୋଲି ସେ ମତପ୍ରକାଶ କରିଛନ୍ତି ।