ତହସିଲ ରେକର୍ଡ ରୁମର ଆଧୁନିକୀକରଣ ପାଇଁ ଭୂମି ରେକର୍ଡ ଏବଂ ସର୍ଭେ ନିର୍ଦ୍ଦେଶକ ୨୦୧୨ ମସିହାରେ ଟେଣ୍ଡର ଆହ୍ୱାନ କରିଥିଲେ। ଏଥିପାଇଁ ସିଲଭେସା ଇନଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ କୁ ଟେଣ୍ଡର ଦିଆଯାଇଥିଲା। ଏହି କମ୍ପାନୀ ପ୍ରକଳ୍ପ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ପରେ ଜଣା ପଡ଼ିଥିଲା ଯେ, ଉକ୍ତ ସ୍ଥାନ କାମ କରିବା ପାଇଁ ପ୍ରଯୁଜ୍ୟ ନଥିଲା। ଏବଂ କମ୍ପାନୀକୁ ତାର ସମ୍ପୂର୍ଣ୍ଣ ଦେୟ ପୈଠ କରାଯାଇନଥିଲା। ଯାହା ପରେ ବିବାଦ ଉପୁଜିଥିଲା।

ତେଣୁ ଉକ୍ତ କମ୍ପାନୀ ୨ରୁ ୩ ବର୍ଷ ଧରି ଅପେକ୍ଷା କରିବା ପରେ ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲା। ଯାହା ପରେ ମାନ୍ୟବର ହାଇକୋର୍ଟ ହସ୍ତକ୍ଷେପ କରି ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ବି ପି ଦାଶଙ୍କୁ ଏକମାତ୍ର ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଥିଲେ।
ଏହା ପରେ ଉଭୟ ପକ୍ଷଙ୍କୁ ଡକାଯାଇ ଓଡ଼ିଶା ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଆଇନଗତ ପ୍ରକ୍ରିୟା ଚାଲିବା ସହ ସମସ୍ତ ଆବଶ୍ୟକୀୟ ତଥ୍ୟ ଏବଂ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ମଧ୍ୟସ୍ଥି ଜଷ୍ଟିସ ବି ପି ଦାଶ ସିଲଭେସା ଇନଫୋଟେକ୍ ସପକ୍ଷରେ ରାୟ ପ୍ରଦାନ କରିଥିଲେ।

୨୦୨୩ ମସିହା ମେ ୧୫ ତାରିଖରେ ସିଲଭେସା ଇନଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ କୁ ୭ କୋଟି ୪୬ ଲକ୍ଷ ୪୫ ହଜାର ୨୨୭ ଟଙ୍କା ଏବଂ ୧୦% ସୁଧ ସହିତ ଦେବା ପାଇଁ ରାୟ ପ୍ରକାଶ ପାଇଥିଲା।
୨୦୨୩ ଅଗଷ୍ଟ ୧୧ରେ ମଧ୍ୟସ୍ଥତାଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଭୂମି ରେକର୍ଡ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକ କଟକର ବାଣିଜ୍ୟିକ ଅଦାଲତର ଦ୍ଵାରସ୍ଥ ହୋଇଥିଲେ। ୨୦୨୩ ସେପ୍ଟେମ୍ବର ୧ରେ ସିଲଭିଆ ଇନଫୋଟେକ୍ଟ ମଧ୍ୟସ୍ଥତାଙ୍କ ରାୟ କାର୍ଯ୍ୟକାରୀ କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ।
୨୦୨୫ ଫେବୃଆରୀ ୨୧ରେ ବାଣିଜ୍ୟିକ ଅଦାଲତ ଭୂମି ରେକର୍ଡ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କେସ୍ କୁ ଖାରଜ କରିଦେଇଥିଲେ।
୨୦୨୬ ଫେବୃଆରୀ ୧୭ରେ ମଧ୍ୟସ୍ଥତାଙ୍କ ଅନୁସାରେ ବର୍ତ୍ତମାନ ମୋଟ ପରିମାଣ ୯ କୋଟି ୫୨ ଲକ୍ଷ ୧୯ ହଜାର ୫୮୦ ଟଙ୍କା ଦେବାକୁ ହେଉଛି। ଦେୟ ପୈଠ ନ କରି ପାରିଲେ ବିଲ୍ଡିଂ ନିଲାମ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
