କୋରାପୁଟ, ୧୮/୦୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପାଙ୍ଗୀ। କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଜୟରାମ। ସୂଚନାଯୋଗ୍ୟ, ବର୍ତ୍ତମାନ ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ।
ଜୟରାମ ପାଙ୍ଗୀ ୧୯୭୭ ମସିହାରେ ପ୍ରଥମେ ପଟ୍ଟାଙ୍ଗିରୁ ଜନତା ଦଳର ପ୍ରତିନିଧି ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ୧୯୯୦ରେ ଜନତା ଦଳରୁ ଏବଂ ୨୦୦୦ ମସିହା ଓ ୨୦୦୪ରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ବିଜେଡ଼ିରୁ କୋରାପୁଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସେ ୯ ମେ ୨୦୧୭ରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ୬ ଅକ୍ଟୋବର ୨୦୨୧ରେ ବିଜେପି ଛାଡିଥିଲେ ଏବଂ ଜାନୁଆରୀ ୨୦୨୩ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ହାଇଦ୍ରାବାଦରେ BRS ଦଳରେ ଯୋଗ ଦେଇଥିଲେ।
ଏହାପରେ ଜୟରାମ ପାଙ୍ଗୀ ୨ ଡିସେମ୍ବର ୨୦୨୩ରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ BRS ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।
ତେବେ ଜୟରାମ ଦଳ ଅଦଳବଦଳକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଅନ୍ୟ ଦଳରେ ଯୋଗ ଦେବେ କି ନାହିଁ ତାହା ଦେଖିବା ବାକି ରହିଲା।