ସୁପ୍ରିମକୋର୍ଟଙ୍କୁ ସାଧାରଣରେ ବଡ଼ ପ୍ରଶ୍ନ

ମାଗଣା ବଣ୍ଟନ ବନ୍ଦ ପାଇଁ ସରକାରଙ୍କୁ ଦେଇ ପାରିବେ କି ନିର୍ଦ୍ଦେଶ!

ନୂଆଦିଲ୍ଲୀ, ୧୯/୦୨: ଦେଶରେ ନିର୍ବାଚନୀ ପ୍ରତିଶ୍ରୁତିରେ ମାଗଣା ବଣ୍ଟନକୁ ସବୁ ରାଜନୈତିକ ଦଳ‌ ଦ୍ଵାରା ପ୍ରଥମେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏହା ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ମାଗଣା ବଣ୍ଟନ ଦ୍ୱାରା ରାଜ୍ୟଗୁଡ଼ିକର ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବେକାରୀ ସ୍ଥିତି ବୃଦ୍ଧି ପାଉଛି, ଦାରିଦ୍ର୍ୟ ବଢୁଛି ବୋଲି କହିବା ସହ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ବେକାରୀ ଦୂରୀକରଣ ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟ ଏ ଉପରେ ରୋକ୍ ଲଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିପାରିବେ କି? “କୌଣସି ମାଗଣା ବଣ୍ଟନ ପାଇଁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦେଉଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଆଣିବା ନିହାତି ଜରୁରୀ” ଭଳି ରାୟ ଦେବା ନିହାତି ଆବଶ୍ୟକ। ଯାହା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିବ।

୨୦୧୫ ମସିହାରେ, ସୁପ୍ରିମକୋର୍ଟ ନ୍ୟାସନାଲ ଜୁଡିସିଆରୀ ଆପଏଣ୍ଟମେଣ୍ଟ କମିଶନ (NJAC) ଆଇନ ଏବଂ ୯୯ତମ ସାମ୍ବିଧାନିକ ସଂଶୋଧନ ଆଇନକୁ ପ୍ରତ୍ୟାଖ୍ୟାନ କରିବା ପରି ଏହି ମାଗଣା ବଣ୍ଟନ ଉପରେ ମଧ୍ୟ ରାୟ ଆସିବା ଆବଶ୍ୟକ। ଯାହା ଦ୍ୱାରା ବିଭିନ୍ନ ରାଜନୈତିକ ଦଳଗୁଡିକ ମାଗଣା ବଣ୍ଟନ ପାଇଁ ପ୍ରତିଶ୍ରୁତି ଦେବା ବଦଳରେ ସ୍ଥାୟୀ ବେରୋଜଗାରୀ ହ୍ରାସ, ଦାରିଦ୍ର୍ୟ ଦୂରୀକରଣ ଓ ସ୍ୱାବଲମ୍ବୀ ଭିତ୍ତିକ ନୂଆ ଯୋଜନା ଆଣିପାରିବେ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି।

ଏପରିକି ଯଦି ଏହା ସମ୍ବିଧାନର କୌଣସି ଅଂଶ (ଯେମିତି ସମାନତା ଅଧିକାର ବା ଅର୍ଥନୈତିକ ନ୍ୟାୟ)କୁ ଉଲ୍ଲଂଘନ କରୁଥିବା ପ୍ରମାଣିତ ହୁଏ, ତେବେ ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ୨୦୧୫ରେ ସଂସଦ ଏକ ନୂଆ ନିୟମ ଆଣିଥିଲା – NJAC (National Judicial Appointments Commission) ନାମକ ଏକ କମିଶନ। ଏହି କମିଶନ ଦ୍ୱାରା ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟର ଜଜ୍‌ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନ ବିଚାରପତି, ଦୁଇଜଣ ବରିଷ୍ଠ ଜଜ୍, କେନ୍ଦ୍ର ଆଇନମନ୍ତ୍ରୀ ଏବଂ ଦୁଇଜଣ “ପ୍ରସିଦ୍ଧ ବ୍ୟକ୍ତି”ଙ୍କୁ ନିଯୁକ୍ତ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିଦେଇଥିଲେ। NJAC ରଦ୍ଦ ହେବା ପରେ ପୁରୁଣା କଲେଜିୟମ୍ ବ୍ୟବସ୍ଥା (Collegium system) ପୁନର୍ବାର ଆରମ୍ଭ ହୋଇଥିଲା।