ଅରୁଣାଚଳ ପ୍ରଦେଶରେ ସ୍ଵାସ୍ଥ୍ୟ ସେବା ପାଇଁ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଆମନ୍ତ୍ରଣ

ଅରୁଣାଚଳର ଅପହଞ୍ଚ ଅଞ୍ଚଳରେ ହାଇଟେକ୍‌ର ସ୍ଵାସ୍ଥ୍ୟ ସେବା ବିସ୍ତାର

ଭୁବନେଶ୍ୱର, ୧୯/୦୨: ଦକ୍ଷିଣ-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶର ଚାଇନା, ବର୍ମା ଏବଂ ଆସାମର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବହେଳିତ ଲୋକମାନଙ୍କର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅରୁଣାଚଳ ପ୍ରଦେଶର ସରକାରଙ୍କ ତରଫରୁ ହାଇଟେକ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଆମନ୍ତ୍ରଣ କରାଯାଇଛି । ସ୍ଵାସ୍ଥ୍ୟ ସେବା ଅପହଞ୍ଚ ଜାଗା ମାନଙ୍କରେ ସୁଚାରୁରୂପେ ସେବା ଯୋଗାଇ ଦେବା ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ତିରୁପତି ପାଣିଗ୍ରାହୀଙ୍କ ସହିତ ଅରୁଣାଚଳ ପ୍ରଦେଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ଆଲୋଚନା କରିଛନ୍ତି । ବିଶେଷ କରି ଓଡିଶାରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଦୀର୍ଘ ବହୁ ବର୍ଷର ଅଭିଜ୍ଞତାକୁ ଆଧାର କରି ଡଃ ପାଣିଗ୍ରାହୀଙ୍କର ଅବଦାନ, ଦକ୍ଷ ପରିଚାଳନା ପଦ୍ଧତି ଏବଂ ସୁଚିନ୍ତିତ ଚିନ୍ତାଧାରାକୁ ବିଚାର କରି ଏଥପାଇଁ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ସଚିବ ସ୍ତରୀୟ ଆଲୋଚନା କରାଯାଇଥିଲା । ଅରୁଣାଚଳ ପ୍ରଦେଶରେ ଲୋକମାନଙ୍କର ସ୍ଵାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଆଗଭର ହୋଇଥିଲା ବେଳେ ଏଥିପାଇଁ ଡଃ ତିରୁପତି ପାଣିଗ୍ରାହୀଙ୍କୁ ସେଠାରେ ଏକ ସ୍ଵାସ୍ଥ୍ୟ ସେବାର ପ୍ରତିଷ୍ଠାନ ଖୋଲାଇ ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ।