ଭାରତୀୟ ଜାହାଜ ଉପରେ ବଡ଼ ଆଟାକ; ୩ ନାବିକ ମୃତ

କଡ଼ା ନିନ୍ଦା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧/୦୬: ଇରାନ-ଆମେରିକା ସଂଘର୍ଷ ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା କ୍ରମାଗତ ଭାବେ ବଢୁଛି। ହର୍ମୁଜ ବନ୍ଦ ହେବା ପରେ ଲଗାତାର ଦୁଇ ଦିନ ଧରି ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ତିନି ଜଣ ଭାରତୀୟ ନାବିକଙ୍କ ଜୀବନ ଚାଲିଯାଇଛି।

ସୂଚନା ମୁତାବକ, ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ଦ୍ୱାରା ପାଲାଉ-ପତାକା ବିଶିଷ୍ଟ ତୈଳ ଟ୍ୟାଙ୍କର MT Settebello ଉପରେ ପ୍ରିସିଜନ୍ ମିସାଇଲ୍ ଆକ୍ରମଣ କରାଯାଇଥିଲା। ଜାହାଜଟି ଇରାନୀୟ ତୈଳ ବୋଝେଇ କରି ଇରାନ ବନ୍ଦର ଆଡ଼କୁ ଯାଉଥିବା ସମୟରେ ଆମେରିକୀୟ ନୌସେନା ନିର୍ଦ୍ଦେଶ ଅମାନ୍ୟ କରିଥିବା ଅଭିଯୋଗରେ ଏହି ଆକ୍ରମଣ କରାଯାଇଥିଲା। ଜାହାଜର ଇଞ୍ଜିନ୍ ରୁମ୍ ଓ ସ୍ଟିୟାରିଂ ସିଷ୍ଟମ୍‌କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିଲା।

ଜାହାଜରେ ମୋଟ୍ ୨୪ ଜଣ ଭାରତୀୟ ନାବିକ ଥିଲେ। ଓମାନ ନୌସେନା ଓ ଉଦ୍ଧାରକାରୀ ଦଳ ୨୧ ଜଣଙ୍କୁ ଉଦ୍ଧାର କରିଥିଲେ। ତିନି ଜଣ ନାବିକଙ୍କ ମୃତ୍ୟୁ ହୋଇଥିବା ଭାରତ ସରକାର ନିଶ୍ଚିତ କରିଛନ୍ତି।

ଏହା ପୂର୍ବରୁ ଜୁନ୍ ୮ ତାରିଖରେ ଆଉ ଏକ ଟ୍ୟାଙ୍କର Marivex ଉପରେ ଆମେରିକା ଆକ୍ରମଣ କରିଥିଲା। ସେହି ଜାହାଜରେ ମଧ୍ୟ ଭାରତୀୟ ନାବିକ ଥିଲେ ଓ ସମସ୍ତେ ଉଦ୍ଧାର ହୋଇଥିଲେ। ଏହି ଦୁଇ ଘଟଣା ଲଗାତାର ଦୁଇ ଦିନ ଭିତରେ ହୋଇଥିବାରୁ ଆନ୍ତର୍ଜାତିକ ମହଲରେ ଉତ୍ତେଜନା ବଢ଼ିଛି।

ଭାରତ ସରକାର ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥିତ ଆମେରିକା ଦୂତାବାସର ଅଧିକାରୀଙ୍କୁ ସମନ୍ ଜାରି କରାଯାଇଛି। ଭାରତ କହିଛି ଯେ, ବାଣିଜ୍ୟିକ ଜାହାଜ ଓ ନିରୀହ ନାବିକଙ୍କ ଉପରେ ଏପରି ଆକ୍ରମଣ ଅଗ୍ରହଣୀୟ। ସମସ୍ତ ଭାରତୀୟ ନାବିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସେମାନଙ୍କୁ ଶୀଘ୍ର ଦେଶକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି।