ଜେଫ୍ରି ଏପଷ୍ଟିନ ଲିଙ୍କ୍: ବ୍ରିଟେନର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ଗିରଫ

୪୦୦ ବର୍ଷ ପରେ ରାଜପରିବାର ସଦସ୍ୟଙ୍କ ଗିରଫଦାରୀ

ଲଣ୍ଡନ, ୧୯/୦୨: ବହୁ ଚର୍ଚ୍ଚିତ ଜେଫ୍ରି ଏପଷ୍ଟିନ ଲିଙ୍କ୍ ରେ ଗିରଫ ହୋଇଛନ୍ତି ବ୍ରିଟିଶ୍ ରାଜପରିବାରର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର। ଥେମ୍ସ ଭ୍ୟାଲି ପୋଲିସ ଆଜି ବ୍ରିଟିଶ୍ ରାଜପରିବାରର ପୂର୍ବତନ ଯୁବରାଜ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗରେ ଗିରଫ କରିଛନ୍ତି। ଏହି ଘଟଣା ତାଙ୍କର ୬୬ତମ ଜନ୍ମଦିନରେ ଘଟିଛି ଏବଂ ପ୍ରାୟ ୪୦୦ ବର୍ଷ ପରେ ଏକ ବରିଷ୍ଠ ରାଜପରିବାର ସଦସ୍ୟଙ୍କର ପ୍ରଥମ ଗିରଫ ଅଟେ।

ପୋଲିସ ଏକ ବୟାନରେ କହିଛନ୍ତି ଯେ ନରଫକ୍‌ରୁ ଏକ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଆଣ୍ଡ୍ର୍ୟୁଙ୍କୁ ଗିରଫ କରାଯାଇଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାନୁଆରୀ ୨୦୨୬ରେ ରିଲିଜ୍ ହୋଇଥିବା ଜେଫ୍ରି ଏପଷ୍ଟିନ୍ ଫାଇଲ୍ସରେ ନୂଆ ତଥ୍ୟ ବାହାରିଛି। ଏହି ଦସ୍ତାବିଜରେ ଅଭିଯୋଗ ହୋଇଛି ଯେ ଆଣ୍ଡ୍ର୍ୟୁ ବ୍ରିଟେନର ବାଣିଜ୍ୟ ପ୍ରତିନିଧି ଭାବେ କାମ କରିବା ସମୟରେ ଗୁପ୍ତ ସରକାରୀ ଦସ୍ତାବିଜ (ଯେପରିକି ଆଫଗାନିସ୍ତାନ ବିନିଯୋଗ ବ୍ରିଫିଂ ଓ ଟ୍ରେଜରୀ ରିପୋର୍ଟ) ଏପଷ୍ଟିନ୍‌ଙ୍କୁ ଶେୟାର କରିଥିଲେ।

ଏହା ଏକ ଗମ୍ଭୀର ଅପରାଧ ଅଟେ, ଯାହାର ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇପାରେ।

ଏପଷ୍ଟିନ୍ଙ୍କ ସହିତ ଆଣ୍ଡ୍ର୍ୟୁଙ୍କର ଦୀର୍ଘଦିନର ଘନିଷ୍ଠ ସମ୍ପର୍କ ଥିଲା। ପୂର୍ବରୁ ଭର୍ଜିନିଆ ଗିଉଫ୍ରେ ଭଳି ବ୍ୟକ୍ତି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ୨୦୨୫ରେ କିଙ୍ଗ୍ ଚାର୍ଲସ୍ ତାଙ୍କୁ ରାଜପରିବାର ଉପାଧି ଓ ସମ୍ମାନ ଛଡ଼ାଇ ନେଇଥିଲେ ଏବଂ ରୟାଲ୍ ଲଜ୍ ଛାଡ଼ିବାକୁ କହିଥିଲେ।

ତେବେ ଆଣ୍ଡ୍ର୍ୟୁ ସମସ୍ତ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସିଛନ୍ତି। ଏହି ଘଟଣା ରାଜପରିବାର ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି।

ଯୁକ୍ତରାଷ୍ଟ୍ର ନ୍ୟାୟ ବିଭାଗ ଦ୍ୱାରା ଜେଫ୍ରି ଏପଷ୍ଟିନ୍ ଫାଇଲ୍ସ ଜାନୁଆରୀ ୩୦, ୨୦୨୬ରେ ରିଲିଜ୍ ହୋଇଥିଲା। ଏହା Epstein Files Transparency Act ଅନୁଯାୟୀ ହୋଇଛି, ଯାହା ୨୦୨୫ ନଭେମ୍ବର ୧୯ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା।

ଜେଫ୍ରି ଏଡୱାର୍ଡ ଏପଷ୍ଟିନ୍ (Jeffrey Edward Epstein) ଜଣେ ଆମେରିକୀୟ ଧନୀ ବ୍ୟବସାୟୀ ଓ ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଥିଲେ। ସେ ୨୦୧୯ରେ ଜେଲ୍‌ରେ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଫାଇଲଗୁଡ଼ିକ ବର୍ତ୍ତମାନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ସେ ବହୁତ ଧନୀ ବ୍ୟକ୍ତିଙ୍କର ଆର୍ଥିକ ପରାମର୍ଶଦାତା ଥିଲେ ଏବଂ କୋଟି କୋଟି ଡଲାରର ସମ୍ପତ୍ତି ପରିଚାଳନା କରୁଥିଲେ। ତାଙ୍କର ବହୁତ ଶକ୍ତିଶାଳୀ ବନ୍ଧୁ ଥିଲେ – ରାଜନୀତିଜ୍ଞ (ଯେମିତି ବିଲ୍ କ୍ଲିଣ୍ଟନ୍), ବ୍ୟବସାୟୀ, ସେଲିବ୍ରିଟି ଓ ରାଜପରିବାର ସଦସ୍ୟ (ଯେମିତି ବ୍ରିଟେନର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ)।

୨୦୦୫ରେ ଫ୍ଲୋରିଡାରେ ତାଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆସିଥିଲା – ସେ ଯୁବତୀ ଓ ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ। ୨୦୦୮ରେ ଏକ ବିବାଦୀୟ ଡିଲ୍‌ରେ ସେ ଦୋଷୀ ସାବ୍ୟସ୍ତ ହୋଇ କିଛି ମାସ ଜେଲ୍ ଯାଇଥିଲେ। ୨୦୧୯ରେ ପୁଣି ଗିରଫ ହୋଇଥିଲେ। ଅଗଷ୍ଟ ୧୦, ୨୦୧୯ରେ ନ୍ୟୁୟର୍କର ଏକ ଫେଡେରାଲ୍ ଜେଲ୍‌ରେ ଆତ୍ମହତ୍ୟା କରିଥିଲେ। ଏହା ପରେ ବହୁତ ଷଡ଼ଯନ୍ତ୍ର ଥିଓରି ଆସିଥିଲା, କିନ୍ତୁ ଅଫିସିଆଲ୍ ରିପୋର୍ଟ ଆତ୍ମହତ୍ୟା ବୋଲି ଆସିଥିଲା। ତେବେ ଜେଫ୍ରି ଏପଷ୍ଟିନ ବହୁ ଗରୀବ ନାବାଳିକାଙ୍କୁ ଟ୍ରାଫିକିଂ କରିଥିଲେ। ଏହି ଟ୍ରାଫିକିଂ ଓ ଯୌନ ଶୋଷଣରେ ବହୁ ନାମୀଦାମୀ ବ୍ୟକ୍ତି ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ମଧ୍ୟ ସାମନାକୁ ଆସିଛି। ୨୦୨୫ରେ Epstein Files Transparency Act ପାସ୍ ହୋଇଥିଲା। ୨୦୨୬ ଜାନୁଆରୀ ୩୦ରେ DOJ ପ୍ରାୟ ପ୍ରାୟ ୩୦ ଲକ୍ଷରୁ ଅଧିକ ପୃଷ୍ଠା, ୨,୦୦୦ରୁ ଅଧିକ ଭିଡିଓ ଏବଂ ୧୮୦,୦୦୦ ଛବି ରିଲିଜ୍ କରିଛି। ଏହାର ତଦନ୍ତ ଆରମ୍ଭ ହୋଇଛି। ଏହା ବିଶ୍ଵର ସବୁଠୁ ବଡ଼ ଯୌନ କେଳେଙ୍କାରୀ ମାମଲା।