ଭଦ୍ରକବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର: ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ୱବିଦ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବଜେଟରେ ବଡ଼ ଘୋଷଣା; ଅମିତ ଶାହଙ୍କ ପ୍ରତିଶ୍ରୁତି ପାଳନ କଲେ ମୋହନ ସରକାର: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ, ୨୦/୦୨(ନିପ୍ର): ଭଦ୍ରକ ଜିଲ୍ଲା ପାଇଁ ଏକ ଐତିହାସିକ ଦିନ। ଜିଲ୍ଲାବାସୀଙ୍କ ଦୀର୍ଘ ଦଶନ୍ଧିର ଦାବି ଏବଂ ଆଶାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ ସମୟରେ ଭଦ୍ରକରେ ଏକ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେଉଥିବା ଏହି ସରକାର ଭଦ୍ରକର ବିକାଶ ପାଇଁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବାରୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

୨୦୨୪ ସାଧାରଣ ନିର୍ବାଚନ ସମୟରେ ମେ ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଜନସଭାରେ ପ୍ରତିଶ୍ରୁତି ଦେଇଥିଲେ ଯେ, ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଭଦ୍ରକରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଆଜି ସେହି ପ୍ରତିଶ୍ରୁତି ପୂରଣ ହୋଇଛି। ଭଦ୍ରକର ପୁଅ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚେଷ୍ଟା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି। ରାଜ୍ଯ ବିଜେପି ସଭାପତି ତଥା ଭଦ୍ରକର ବରିଷ୍ଠ ରାଜନେତା ମନମୋହନ ସାମଲ, ଭଦ୍ରକ ସାଂସଦ ଅଭିମନ୍ଯୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏନେଇ ବିଭିନ୍ନ ସମୟରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସିଥିଲେ। ବଡ଼କଥା ହେଲା ଗତବର୍ଷ ନିଜର ପ୍ରଥମ ବଜେଟରେ ମୁଖ୍ୟମନ୍ତ୍ରୀ ଭଦ୍ରକ ପାଇଁ ମେଡିକାଲ କଲେଜ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ସହର ନିକଟସ୍ଥ ବରପଦା ଇଞ୍ଜିନିୟରିଂ କଲେଜକୁ ପ୍ରଦାନ କରାଯାଇଥିବା ଅବ୍ୟବହୃତ ସରକାରୀ ଜମିକୁ ଫେରାଇ ଆଣି ସେଠାରେ ଏହି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଖୁବଶୀଘ୍ର ରୂପରେଖ ଓ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ଆଶା କରାଯାଉଛି।

ଭଦ୍ରକରେ ବିଶ୍ୱବିଦ୍ୟାଳୟ ପାଇଁ ଆନ୍ଦୋଳନ ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରୁ ଆରମ୍ଭ ହୋଇଥିଲା। ବରପୁତ୍ର ଡକ୍ଟର ହରେକୃଷ୍ଣ ମହତାବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଭଦ୍ରକକୁ ଏକ ଶିକ୍ଷା ହବ୍ କରିବାକୁ ସ୍ୱପ୍ନ ଦେଖିଥିଲେ। ହେଲେ ସେତେବେଳେ ଏହା ସଫଳ ହୋଇ ପାରିନଥିଲା। ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଏହି ଦାବି ପାଇଁ ବାରମ୍ବାର ସ୍ୱର ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ମାତ୍ର ତତ୍କାଳୀନ ନବୀନ ସରକାର ଭଦ୍ରକକୁ ଅଣଦେଖା କରି ପଡ଼ୋଶୀ ଜିଲ୍ଲା କେନ୍ଦୁଝରର ଧରଣୀଧର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ। ବର୍ତ୍ତମାନର ମୋହନ ମାଝି ସରକାର ଜିଲ୍ଲାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଭଦ୍ରକର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବଜେଟରେ ଏହି ବୈପ୍ଳବିକ ଘୋଷଣା ପରେ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ରସମାଜ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ଥାନୀୟ ବାସିନ୍ଦାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଭଦ୍ରକ ସମେତ ଆଖପାଖ ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଉପକୃତ ହେବେ।