ଗୁରୁ ନାଁରେ କଳଙ୍କ! ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଜଣେ ଶିକ୍ଷୟିତ୍ରୀ ଓ ୪ ଶିକ୍ଷକ ଅଟକ

କେନ୍ଦ୍ରାପଡ଼ା, ୨୧/୦୨: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଘୃଣ୍ୟ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷ ବୟସର ଜଣେ ନାବାଳିକା ଛାତ୍ରୀଙ୍କୁ ବିଦ୍ୟାଳୟର ୪ଜଣ ଶିକ୍ଷକ ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିଥିବା ଗମ୍ଭୀର ଅଭିଯୋଗ ଉଠିଛି।

ଅଭିଯୋଗ ଅନୁଯାୟୀ, ଖେଳ ଛୁଟିର ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ସହଯୋଗ ମଧ୍ୟ ରହିଥିବା କୁହାଯାଉଛି। ଏହି ଘଟଣା ରାଜକନିକା ବ୍ଲକ୍‌ର ଦେଉଳତରା ପଞ୍ଚାୟତ ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଥିବା ଜଣାପଡ଼ିଛି।

ପୀଡ଼ିତା ଛାତ୍ରୀ ନିକଟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୂର୍ବରୁ ନିଜ ମାଆଙ୍କୁ ଏହି ସମସ୍ତ ଘଟଣା କହିଥିଲେ। ତାଙ୍କ ବାପା ଦିଲ୍ଲୀରେ ରହୁଥିବାରୁ ୪ ଦିନ ତଳେ ଘରକୁ ଫେରିବା ପରେ ସମସ୍ତ ଘଟଣା ଜାଣିବା ପରେ ପରିବାର ଲୋକେ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିବା ସହ ଅଞ୍ଚଳରେ ବ୍ୟାପକ ଆଲୋଡ଼ନ ସୃଷ୍ଟି ହୋଇଛି।

ସିଡବ୍ଲୁସି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର କହିଛନ୍ତି ଯେ, ଦୀର୍ଘ ୪ ବର୍ଷ ଧରି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶିକ୍ଷକ। ଛାତ୍ରୀଙ୍କୁ ଚତୁର୍ଥ ଶ୍ରେଣୀରୁ ସେମାନେ ହଇରାଣ କରୁଥିଲେ। ପରିବାର ପକ୍ଷରୁ ଆସିଥିବା ଅଭିଯୋଗ ପାଇବା ପରେ ସେମାନେ ଗମ୍ଭୀରତାର ସହିତ ପଦକ୍ଷେପ ନେଇଛନ୍ତି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ଏହା ଏକ ଅତ୍ୟନ୍ତ ଜଘନ୍ୟ ଅପରାଧ ହେବ। ଏକ ସପ୍ତମ ଶ୍ରେଣୀର ନାବାଳିକାଙ୍କୁ ବିଦ୍ୟାଳୟର ଶିକ୍ଷକମାନେ ଏଭଳି ନିର୍ଯାତନା ଦେବା ଅତ୍ୟନ୍ତ ଦୁଃଖଦ ଓ ସ୍ପର୍ଶକାତର ଘଟଣା।

ତାଙ୍କ ନେତୃତ୍ୱରେ ଗଠିତ ଏକ ୪ଜଣିଆ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ତଦନ୍ତ କରିଛି ଏବଂ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସେ ପରିବାରକୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ନିକଟସ୍ଥ ଥାନାରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରନ୍ତୁ, ଯାହାଦ୍ୱାରା ଅଭିଯୁକ୍ତମାନଙ୍କୁ ଆଇନଗତ ଦଣ୍ଡ ମିଳିପାରିବ।

ସିଡବ୍ଲୁସି ଏହି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ଥାନାଧିକାରୀଙ୍କୁ ପ୍ରଦାନ କରିବ। ସିଡବ୍ଲୁସି ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ମଧ୍ୟ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି।