ବ୍ରଜରାଜନଗର, ୨୧/୦୨: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନମନ୍ଦିରପଡ଼ାରେ ଏକ ଦମ୍ପତିଙ୍କ ରହସ୍ୟମୟ ମୃତ୍ୟୁ ଘଟିଛି। ବନ୍ଦ ଘରୁ ପତ୍ନୀଙ୍କ ଗର୍ବିତ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୪ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସ୍ଵାମୀଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲେ ହେଁ ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ପତ୍ନୀଙ୍କ ମୃତ୍ୟୁର ଚାରି ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଶ୍ଚର୍ଯ୍ୟ ଜନକ କଥା ହେଉଛି, ସ୍ତ୍ରୀ ମୃତଦେହ ପାଖରେ ସ୍ୱାମୀ ୪ ଦିନ ଧରି ରହିଥିଲେ। ଖବର ପାଇ ପୋଲିସ ଗୁରୁତର ଅସୁସ୍ଥ ଥିବା ସ୍ୱାମୀଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଛନ୍ତି। ମୃତ ଦମ୍ପତିଙ୍କ ନାମ ଗୋବିନ୍ଦ ଭୋଇ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ।
ସ୍ଥାନୀୟ ଲୋକମାନେ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ରୁକ୍ମିଣୀଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ଯାହା ପରେ ରୁକ୍ମିଣୀଙ୍କ ସମ୍ପର୍କୀୟ ଆସି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ପରେ ଗୋବିନ୍ଦଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଓରିଏଣ୍ଟ ପୋଲିସ ମାମଲାର ତଦନ୍ତ କରୁଛି। ତଥାପି, ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।