କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଆମାଜନ ଆଇନ୍‍ ମୁଖ୍ୟ

ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା

ଭୁବନେଶ୍ୱର, ୨୧/୦୨: ଆମାଜନ ଚିଫ୍‍ ଗ୍ଲୋବାଲ୍‍ ଆଫ୍ୟାୟାର୍‍ସ ଓ ଆଇନ୍‍ ଅଧିକାରୀ ଡାଭିଡ୍‍ ଏ ଜାପଲସ୍କି ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ସମସ୍ତ ୟୁନିଟ୍‍ ବୁଲି ଦେଖିଥିଲେ । କିସ୍‍ ବୁଲି ଦେଖିବା ପରେ ସେ ପ୍ରଥମ ଥର ଲାଗି କିସ୍‍ ଭଳି ଏକ ବିରାଟ ଓ ବିରଳ ଅନୁଷ୍ଠାନ ପରିଦର୍ଶନ କରି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଶିକ୍ଷା ଜରିଆରେ ଜନଜାତି ବିକାଶ କ୍ଷେତ୍ରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ । କିସ୍‍ରେ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ସେ କିପରି ମ୍ୟୁଜିକ୍‍, ଇତିହାସ ଓ ଆଇନ୍‍ ଆଦି ପାଠ ପ୍ରତି ଆକୃଷ୍ଟ ହୋଇଥିଲେ ସେ ସମ୍ପର୍କରେ କହିଥିଲେ । ପରେ କିଟ୍‍ରେ ଏକ ଫାୟାରସାଇଡ୍‍ ଚାଟ୍‍ ଅଧିବେଶନରେ ଯୋଗଦେଇ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆମାଜନର ବିଶ୍ୱ ନୀତିରେ ଭାରତର ଗୁରୁତ୍ୱ ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ଜାପଲସ୍କି କହିଲେ, ଆମାଜାନ ଭାରତରେ ପ୍ରାୟ ୪୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିଛି । ଏଥିରେ ଡାଟା ଭିତ୍ତିଭୂମି ଓ କ୍ଲାଉଡ୍ କମ୍ପ୍ୟୁଟିଂରେ ପ୍ରମୁଖ ନିବେଶ ଅନ୍ତର୍ଭୁକ୍ତ । ସେ କହିଲେ, କର୍ପୋରେଟ୍‍ଗୁଡ଼ିକ ସେମାନଙ୍କ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପଗୁଡ଼ିକୁ ସେମାନଙ୍କର ମୂଳ ଦକ୍ଷତା ଅନୁଯାୟୀ ପ୍ରସ୍ତୁତ କରିବା ଉଚିତ । ବିପର୍ଯ୍ୟୟ ସହାୟତା ଏବଂ ପରିବେଶଗତ ପ୍ରୟାସ ସମେତ ସାମୁଦାୟିକ ପ୍ରଭାବ ପାଇଁ ଏହାର ପ୍ରଯୁକ୍ତିବିଦ୍ୟା ଏବଂ ଲଜିଷ୍ଟିକ୍ କ୍ଷମତାକୁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିବା ଉଚିତ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜାପଲସ୍କି ନିଜର ଅଭିଜ୍ଞତାର ଉଦାହରଣ ଦେଇ କହିଲେ ଯୁବପିଢ଼ି ପ୍ରତିଷ୍ଠା କିମ୍ବା ଦରମା ପଛରେ ନପଡ଼ି ନିଜ ଅନ୍ତରର କଥା ଶୁଣିବା ଉଚିତ । ଯାହା ତୁମକୁ ଖୁସି କରିପାରିବ ତାହା କର ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଯେତେବେଳେ ତୁମେ ତୁମର ଆଗ୍ରହକୁ ଅନୁସରଣ କରିବ ସେତେବେଳେ ସୁଯୋଗ ପଛକୁ ପଛକୁ ଆସିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଡାଭିଡ୍‍ଙ୍କ ବହୁମୁଖୀ ପ୍ରତିଭାର ପ୍ରଶଂସା କରିଥିଲେ । ଏହି ଅବସରରେ ଡାଭିଡ୍‍ଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।