ବୌଦ୍ଧ, ୨୨/୦୨ ଦର୍ଶନ ନ୍ୟୁଜ୍ (ଉଦୟନାଥ ଶର୍ମା): ପୁରୁଣା କଟକରେ ଗତକାଲି ପୁଣି ବାଣ ବିସ୍ଫୋରଣ ଘଟିଥିବା ଜଣାପଡିଛି। ଏଥର କିନ୍ତୁ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଡିଙ୍କ ଘରେ ବିସ୍ଫୋରଣ ଘଟିଛି। ଗତ ସେପ୍ଟେମ୍ବର ମାସରେ ପୁରୁଣା କଟକର ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଡିଙ୍କ ଜିଆକଟା ସ୍ଥିତ ବେଆଇନ୍ ଭାବେ ଗଛିତ ରଖିଥିବା ଗୋଦାମରେ ବିସ୍ଫୋରଣ ଘଟିଥିବା ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏଥିରେ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ଏବଂ ଅନେକ ଘର ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଏବେ ପୂଣି କାଣ୍ଡିଙ୍କର ଘର ପଛପଟେ ଥିବା ଗୋଦାମ ଘରେ ବିସ୍ଫୋରଣ ଘଟିଛି। ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବ ବିସ୍ଫୋରଣ ପରେ କାଣ୍ଡିଙ୍କ ବିଭିନ୍ନ ଗୋଦାମ ଚଢ଼ାଉ କରି ପୋଲିସ ଟ୍ରକ ଭର୍ତ୍ତି ବାଣ ଜବତ କରିଥିବା ବେଳେ ପୁନର୍ବାର୍ ଏଭଳି ଘଟଣାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ପୂର୍ବ ଘଟଣାରେ ପୋଲିସ ଦ୍ୱାରା ଗିରଫ ହୋଇ ୪ ମାସ ପରେ ବେଲ୍ ରେ ଆସି କାଣ୍ଡି ପୁନର୍ବାର ବାଣ ବ୍ୟବସାୟୀ ଚଲାଉ ଥିଲେ। ବାଣ ବ୍ୟବସାୟୀ କାଣ୍ଡିଙ୍କୁ ସୁରକ୍ଷା ଦେଉଛି କିଏ? ବାଣ ବ୍ୟବସାୟୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରୁଛି କିଏ? ଜିଲ୍ଲାରେ ବେଆଇନ ବାଣ ଗଛିତ ରଖୁଥିବା ବାଣ ବ୍ୟବସାୟୀଙ୍କ ଉପରେ ଚଢ଼ଉ ହେଉନାହିଁ କାହିଁକି? ବର୍ତ୍ତମାନ ବିବାହ ଋତୁରେ ବେଆଇନ ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇ ବିକ୍ରେତା ଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବିନା ଲାଇସେନ୍ସରେ ବିକ୍ରି କରୁଥିବା ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ଚଢାଉ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେବାକୁ ସାଧାରଣରେ ଦାବି ହେଉଛି।
Next Post