ଜମ୍ମୁ-କାଶ୍ମୀର, ୨୨/୦୨: ଜମ୍ମୁ ଏବଂ କାଶ୍ମୀରରେ, କିସ୍ତୱାଡା ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଆଜି ଅପରେସନ ତ୍ରାଶି-୧ ଅଧିନରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦ (JeM) ସଂଗଠନର ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ଚାଟରୁ ବେଲ୍ଟର ପାସରକୁଟର ସାଧାରଣ ଅଞ୍ଚଳରେ ଆଜି ସକାଳେ ଗୁଳିବିନିମୟ ହୋଇଥିଲା।
ସୂଚନା ଅନୁଯାୟୀ, ସେନା, ଜମ୍ମୁ ଏବଂ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ସମେତ ସୁରକ୍ଷା ବାହିନୀର ମିଳିତ ଟିମ୍ ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପାହାଡ଼ ଅଞ୍ଚଳରେ ଏକ ମାଟି ଚାଳ ଛପର ଘର ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୈନିକଙ୍କ ଉପରେ ଗୁଳି ଚଳାଇବାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାବାହିନୀ ପକ୍ଷରୁ ହମଲା ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା। ପରେ ସେମାନଙ୍କ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରୁ ଦୁଇଟି AK-47 ରାଇଫଲ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ମୃତ ଆତଙ୍କୀଙ୍କ ମଧ୍ୟରୁ ଜଣେ ହେଉଛି ଜୈଶ-ଏ-ମହମ୍ମଦ (ଜେଇଏମ୍)ର ଜଣେ ଶୀର୍ଷ କମାଣ୍ଡର ସୈଫୁଲ୍ଲା ବାଲୋଚ୍। ସୈଫୁଲ୍ଲା ବାଲୋଚ୍ର ପୁରସ୍କାର ୫ ଲକ୍ଷ ଟଙ୍କା ଥିଲା।
ସେନା, ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଦ୍ୱାରା ଏହି ଅପରେସନ କରାଯାଇଥିଲା। ଗତ ୧୫ ଦିନ ଧରି ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର ଚାଲିଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।