ନୂଆଦିଲ୍ଲୀ, ୨୩/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମତିଗତି କେତେବେଳେ କୁଆଡ଼େ ଯାଉଛି ତା’ର କିଛି ଠିକଣା ନାହିଁ । ସେ ଘଡ଼ିକେ ଘୋଡ଼ା ଛୁଟିଲା ଭଳି ନିଷ୍ପତ୍ତି ନେଉଥିବାରୁ ଆମେରିକାକୁ ସାମଗ୍ରୀ ରପ୍ତାନି କରୁଥିବା ଦେଶଗୁଡ଼ିକ ବିଚିତ୍ର ସ୍ଥିତିରେ ପଡ଼ିଯାଇଛନ୍ତି । ବିଶେଷକରି ଭାରତ ଭଳି ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ପାଇଁ ଅଡ଼ୁଆ ସ୍ଥିତି ଟ୍ରମ୍ପ୍ ଉପୁଯାଉଥିବା ଦେଖିବାକୁ ମିଳୁଛି । ତେଣୁ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ୍ଙ୍କ ଟାରିଫ୍କୁ କ୍ଷମତା ବହିର୍ଭୁତ ଓ ବେଆଇନ ଦର୍ଶାଇ ରଦ୍ଦ କରିବା ପରେ ନୂଆଦିଲ୍ଳୀ ଏବେ ଟାରିଫ୍ ସମ୍ପର୍କିତ ନିୟମଗୁଡ଼ିକର ପୁନଃ ସମୀକ୍ଷା କରିବାକୁ ଯାଉଛି । ଫେବୃଆରୀ ୨୩ ସୋମବାର ଦିନ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ରୂପରେଖକୁ ଚୂଡ଼ାନ୍ତ କରିବା ନିମନ୍ତେ ୱାଶିଂଟନ୍ରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକକୁ ସ୍ଥଗିତ ରଖିବା ପରେ ଭାରତ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ମନେକରାଯାଉଛି ।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି, ଟ୍ରମ୍ପ୍ଙ୍କ ଟାରିଫ୍ ନିଷ୍ପତ୍ତିକୁ ତାଙ୍କ ଦେଶର ସୁପ୍ରିମକୋର୍ଟ ରଦ୍ଦ କରିଦେବା ପରେ ଟ୍ରେଡ୍ ଡିଲ୍ ସମ୍ପର୍କିତ ଆଲୋଚନା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଏହା ଉପରେ ବର୍ତ୍ତମାନ କିଛି କହି ହେବନାହିଁ । ଆମେରିକା ସୁପ୍ରିମକୋର୍ଟ ରାୟ ପରବର୍ତ୍ତୀ ଘଟଣାକ୍ରମକୁ ଆମେ ଅନୁଧ୍ୟାନ କରୁଛୁ ।
ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ଆମେରିକା ସହ ନୂଆ ଟ୍ରେଡ୍ ଡିଲ୍ କରିବାକୁ ଚାହୁଁଛି । ଟ୍ରମ୍ପ୍ଙ୍କୁ ସୁପ୍ରିମ ଝଟକା ଲାଗିବା ପରେ ଭାରତର ପକ୍ଷ ମଜଭୁତ୍ ହୋଇଛି । ତେଣୁ ଭାରତକୁ ‘ମୃତ ଅର୍ଥନୀତି’ କହି ତାତ୍ସଲ୍ୟ କରିଥିବା ରିପବ୍ଲିକାନ୍ ବେପାରୀ ଟ୍ରମ୍ପ୍ଙ୍କୁ ପାନେ ଦେବା ପାଇଁ ନୂଆଦିଲ୍ଲୀ ସଜବାଜ ହେଉଥିବା ନେଇ ଅନ୍ଦର ମହଲରୁ ଏକ ତଥ୍ୟ ଦର୍ଶନ ନ୍ୟୁଜ୍ର ହସ୍ତଗତ ହୋଇଛି । ଭାରତ ଯଦି ପାରିବ ନୂଆ ଟାରିଫ୍ କରିବା ପାଇଁ ଟ୍ରମ୍ପ୍ ପ୍ରଶାସନକୁ ଏକପ୍ରକାର ବାଧ୍ୟ କରିଦେବ । ଫଳରେ ଭାରତରୁ ଆମେରିକାକୁ ପ୍ରବେଶ କରିବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ୱାଶିଂଟନ୍ର ଆମଦାନୀ ଶୁଳ୍କ ବୋଝ ଲାଘବ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏପରି କରି ବନ୍ଧୁ ଟ୍ରମ୍ପ୍ଙ୍କ ଆଡ୍ମିନିଷ୍ଟ୍ରେଶନକୁ ଗୋଟିଏ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ, ଆମେରିକାର ଦାଦାଗିରି ଆଉ ଚଳିବ ନାହିଁ । ଭାରତ ଏବେ ସବୁଠୁ ଦ୍ରୁତଗତିରେ ଧାଉଁଥିବା ଅର୍ଥନୀତି । ତେଣୁ ଭାରତର ସମ୍ମାନ ଓ ମର୍ଯ୍ୟାଦାକୁ ଅଣଦେଖା କଲେ ତୁମେ ଯେତେ ବଡ଼ ହେଲେ ବି ତୁମର ଇଣ୍ଟରନ୍ୟାଶନାଲ ବେଜ୍ଜତି ହେବ ।
ମୂଳରୁ ଦେଖିଲେ ଟ୍ରମ୍ପ୍ ନିଜ ପ୍ରଥମ ପାଳି ସରକାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ବନ୍ଧୁ ବୋଲି କହି ଭାରତଠାରୁ ଅନେକ ଫାଇଦା ନେଇଥିଲେ । ଗତବର୍ଷ ପୁଣି ଥରେ କ୍ଷମତାକୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ନିଷ୍ପତ୍ତି ନେଇ ଚାଲିଛନ୍ତି । ଏଚ୍-୧ବି ଭିଜା ଦେୟ ବୃଦ୍ଧି, ଭାରତୀୟ ପ୍ରବାସୀଙ୍କ ହାତଗୋଡ଼ରେ ଶିଙ୍କୁଳି ବାନ୍ଧି ତଡ଼ିବା ହେଉକି ଚଢ଼ା ଆମଦାନୀ ଶୁଳ୍କ କଷିବା; ସବୁ କ୍ଷେତ୍ରରେ ଟ୍ରମ୍ପ୍ଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଜଳଜଳ ଦିଶୁଛି । ତେଣୁ ଟ୍ରମ୍ପ୍ଙ୍କ ପିଠିରେ ତାଙ୍କ ଦେଶର ସବୁଠୁ ବଡ଼ ଅଦାଲତ ଯେଉଁ ଶକ୍ତ ବିଧା ମାରିଛନ୍ତି, ତା’ର ଫାଇଦା ଭାରତ କାହିଁକି ନ ନେବ?
ଫେବୃଆରୀ ୨୦ରେ ଆମେରିକା ସୁପ୍ରିମକୋର୍ଟ ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୂର୍ବ ଟାରିଫ୍କୁ ବେଆଇନ କହି ରଦ୍ଦ କରି ଦେଇଥିଲେ । ଏହାର କିଛି ଘଣ୍ଟା ପରେ ଟ୍ରମ୍ପ୍ ବିଶ୍ୱବ୍ୟାପୀ ୧୦% ଟାରିଫ୍ ଘୋଷଣା କରିଥିଲେ । ଶନିବାର ସେ ଏହି ଟାରିଫ୍କୁ ୧୫% ପର୍ଯ୍ୟନ୍ତ ବଢ଼ାଇଦେଇଥିଲେ । କିନ୍ତୁ ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଥିଲେ, ଭାରତ ସହ ଟ୍ରେଡ୍ ଡିଲ୍ ୧୮% ଟାରିଫ୍ ଆଧାରରେ ହେବ । ତେଣୁ ମୋଦି ସରକାର ଟ୍ରମ୍ପ୍ଙ୍କୁ ବୁଦ୍ଧି ଶିଖାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ଆସନ୍ତା ସପ୍ତାହରେ ନେଇପାରନ୍ତି ।