ଦଶପଲ୍ଲା ୨୪/୦୨: ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ସୋମବାର ଦିନ ସଫେଇ କରିବା ଆଳଦେଖାଇ ଦୁଇ ଜଣ ମହିଳାଙ୍କ ଠାରୁ ଅଳଙ୍କାର ଲୁଟି ଦୁର୍ବୁତ୍ତ ଚମ୍ପଟ୍ ମାରିଛନ୍ତି | ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ୧୧ ସମୟରେ ଦୁଇଜଣ ମହିଳା ନିଜ ଘର ସମ୍ମୁଖରେ ବସିଥିବା ସମୟରେ ଦୁଇ ଜଣ ବାଇକ୍ ରେ ଆସିଥିଲେ।ଜଣେ କିଛି ଦୁରରେ ବାଇକ୍ ରେ ବସି ରହିଥିଲା ବେଳେ ଅନ୍ୟଜଣେ ମହିଳାମାନଙ୍କ ପାଖକୁ ଯାଇଥିଲେ ଏବଂ ଚୁଡ଼ି ସଫା କରିବାକୁ କହିଥିଲେ। ମହିଳା ମାନେ ପ୍ରଥମେ ନାରାଜ ହୋଇଥିଲେହେଁ ପରେ ବିଭିନ୍ନ ପ୍ରକାର ଚତୁର କଥା କହି ହାତରେ ରଙ୍ଗ ବୋଳି ସଫା ହେଉଥିବାର ଦେଖାଇ ଥିଲେ। ମହିଳା ଦୁଇଜଣ ହାତରୁ ଚୁଡ଼ି ବାହାର କରି ଗରମ ପାଣି ଆଣିବାକୁ କହିଥିଲେ। ଏହି ସମୟରେ ଜଣେ ଦୁବୃର୍ତ୍ତ ଚୁଡ଼ି ଧରି ନିକଟରେ ବାଇକରେ ବସିଥିବା ଲୋକ ସହ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। କଲୋନୀର ରଜନୀ ପୃଷ୍ଟିଙ୍କର ୩୦ ଗ୍ରାମର ୨ଟି ଓ ଜ୍ୟୋତ୍ସ୍ନାରାଣୀ ସାହୁଙ୍କର ୩୫ ଗ୍ରାମର ୨ଟି ଚୁଡ଼ି ଲୁଟ୍ ହୋଇଥିବା ଜଣାପଡିଛି। ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିବା ସହିତ ଭୟର ବାତାବରଣ ସୃଷ୍ଟି କରିଛି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ଦଶପଲ୍ଲା ହାଟରୁ ତେନ୍ତୁଳିପାଟଣାର ବ୍ଯବସାୟୀ ଅଶୋକ ସେନାପତିଙ୍କର ଅଳଙ୍କାର ଲୁଟ୍ ହୋଇଥିଲା। ଏସବୁ ଘଟଣା ପରେ ଦଶପଲ୍ଲାରେ ଲୁଟେରାଙ୍କ ରାକେଟ୍ ସକ୍ରିୟ ହୋଇ ଉଠିଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି।