ଭୁବନେଶ୍ୱର, ୨୪/୦୨: ଭୁବନେଶ୍ୱରର ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବିଲ୍ଡିଂର ଛାତ ଫାଟିଯାଇଛି। ବାହାରକୁ କଳା ଧୁଆଁ ବାହାରୁଛି। ନିଆଁର ତୀବ୍ରତା ଏତେ ଯେ, ଗତ ୧୪ ଘଣ୍ଟା ଧରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ନିଆଁ ଲିଭି ପାରୁନାହିଁ। ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନାହିଁ। ଶେଷରେ ଅଗ୍ନିଶମ ବାହିନୀ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କରିଛି। ବିଲ୍ଡିଂଟି ହୁତୁହୁତୁ ହୋଇ ଜଳୁଛି। ଆଡଭାନ୍ସ ଟେକ୍ନୋଲୋଜି ସହିତ ୪୦ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବାରେ ଲାଗି ରହିଛନ୍ତି। ପାଣିରେ ନ ଲିଭିବାରୁ ଫୋମ୍ ରେ ମଧ୍ୟ ଲିଭାଇବା ପାଇଁ ପ୍ରୟାସ କରାଯାଉଛି।
ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତ ହେଉନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ଲିଟର ପାଣି ସ୍ପ୍ରେ କରାଯାଇସାରିଛି। ତଥାପି ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ଗୋଟିଏ ପାଣି ଟ୍ୟାଙ୍କିରେ ୧୫ ହଜାର ଲିଟର ପାଣି ରହିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଟ୍ୟାଙ୍କର ପାଣି ସ୍ପ୍ରେ ସରିଯାଇଛି। ଲଗାତର ପାଣି ମାଡ଼ ଯୋଗୁଁ ନିଆଁ ଲାଗିବା ଦ୍ୱାରା ଛାତର ରଡ୍ ତରଳିଯାଇଛି ଏବଂ କାନ୍ଥ ଫାଟି ବାହାରକୁ ନିଆଁ ବାହାରୁଛି। ଯେକୌଣସି ସମୟରେ ସୁପରମାର୍ଟ ବିଲ୍ଡିଂ ଭୁଶୁଡ଼ିଯିବାର ଆଶଙ୍କା ରହିଛି। ତେଣୁ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଅଗ୍ନି ନିର୍ବାପକ ଟିମ୍ କୁ ବିଲ୍ଗିଂରୁ ଫେରାଇ ଅଣାଯାଇଛି।