ସମ୍ବଲପୁରରେ “ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ”

ପାନୀୟ ଜଳ, ପରିମଳ ଓ ସ୍ୱଚ୍ଛତାକୁ ନେଇ ସମ୍ବଲପୁରରେ ବଡ଼ ‘ଜନଆନ୍ଦୋଳନ’ କରିବା

ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଏବଂ ପାନୀୟ ଜଳ ସହ ରୋଜଗାରକୁ ପ୍ରାଥମିକତା ଦେବା: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୨୭/୦୨: ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ପାନୀୟ ଜଳ ଏବଂ ରୋଜଗାରକୁ ଆମକୁ ପ୍ରାଥମିକତା ଦେବାକୁ ହେବ । ଏହା କେବଳ ସରକାରୀ ଯୋଜନା ନୁହେଁ, ବରଂ ଏକ ସାମାଜିକ ଜନଆନ୍ଦୋଳନରେ ପରିଣତ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷ୍ୟାଳୟରେ ଆୟୋଜିତ “ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ”ରେ ଯୋଗଦେଇ “ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାୟତା” ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆଶା ଭଉଣୀ ଓ ସମିତିର ସଭ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି ଶୁଣିବା ସହ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁରର ବିକାଶ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆମର ‘ଆଶା’ ଭଉଣୀ ଓ ‘ଗାଁ କଲ୍ୟାଣ ସମିତି’ର ସଦସ୍ୟମାନେ ହେଉଛନ୍ତି ପ୍ରକୃତ ସୈନିକ । ସେ ଆଶା କର୍ମୀମାନଙ୍କୁ ସମାଜର ‘ରାଣୀ ଝାନ୍ସି’ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଗର୍ଭବତୀ ମା’କୁ ସାହାଯ୍ୟ ଦରକାର ହୁଏ କିମ୍ବା ଶିଶୁର ଟୀକାକରଣର ସମୟ ଆସେ, ସେତେବେଳେ ପ୍ରଥମେ ଆଶା ଭଉଣୀଙ୍କ କଥା ମନକୁ ଆସେ । ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ଆଶା କର୍ମୀଙ୍କ ଅବଦାନ ଅତୁଳନୀୟ ।

ସମ୍ବଲପୁର ଜିଲ୍ଲାର ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ଓ ୩ ଲକ୍ଷ ପରିବାର ପାଇଁ ମାସିକ ଘରକୁ ଘର ବୁଲି ସେବା ଯୋଗାଉଥିବା ପାଖାପାଖି ୧୦୭୮ ଜଣ ଆଶା ଦିଦିଙ୍କ ନିଷ୍ଠା ପ୍ରଶଂସନୀୟ । ଆମର ଆଶା ଦିଦିମାନଙ୍କ କାର୍ଯ୍ୟ କେତେ ପ୍ରଭାବଶାଳୀ, ତାହାର ବଡ଼ ପ୍ରମାଣ ହେଉଛନ୍ତି ବାଲେଶ୍ୱର ନୀଳଗିରିର ଯମୁନା ମଣି ସିଂହ । ୨୦୧୫ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ତାଙ୍କର ନିଷ୍ଠାପର ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ‘ବଣମଲ୍ଲୀ’ ଆଜି ସମଗ୍ର ଓଡ଼ିଶାର ଆଶା କର୍ମୀଙ୍କ ସମ୍ମାନକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଶକ୍ତି ହେଉଛି ଗାଁ କଲ୍ୟାଣ ସମିତି । ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏହି ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ହିଁ ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଉଥିବା ସୁଦୃଢ଼ ସେତୁ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଢ଼ିବାକୁ ହେବ । ଏଥିପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଏବଂ ପାନୀୟ ଜଳ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ରୋଜଗାରକୁ ପ୍ରାଧାନ୍ୟ ଦେବା ଜରୁରୀ । ସମ୍ବଲପୁରର ସ୍ୱଚ୍ଛତା ଓ ଜୀବନଶୈଳୀକୁ ବଦଳାଇବା ପାଇଁ ଆମେ ଏହାକୁ ଏକ ‘ଜନଆନ୍ଦୋଳନ’ କରିବା ପାଇଁ ପ୍ରୟାସ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।