ସୃଷ୍ଟି ହେଲା ଲଘୁଚାପ

ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ହେବା ସମ୍ଭାବନା

ଭୁବନେଶ୍ୱର, ୨୯/୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେଇପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ, ସେନେଇ ଏବେ ସ୍ପଷ୍ଟ ଆକଳନ ହୋଇନାହିଁ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଉପର ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହି ଲଘୁଚାପ ଗଠନ ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପ୍ରଥମେ ଲଘୁଚାପଟି ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ପରେ ଅନୁକୂଳ ପାଣିପାଗ ପରିସ୍ଥିତି ରହିଲେ ଅବପାତରେ ପରିଣତ ହୋଇପାରେ।