ଓଡ଼ିଶାରେ ବିପର୍ଯ୍ୟୟ, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ବର୍ଷା ବିତ୍ପାତ ସାଙ୍ଗକୁ ଜନଜୀବନ ଅସ୍ତବ୍ୟସ୍ତ କରୁଛି ଭୂସ୍ଖଳନ
ଭୁବନେଶ୍ୱର, ୨୯/୧୦: ବାତ୍ୟା ପ୍ରଭାବରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଗଜପତି, ଗଞ୍ଜାମ ଓ କନ୍ଧମାଳ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ବର୍ଷା ଯୋଗୁଁ ଭାସିଯାଇଛି ୫ରୁ ଊର୍ଦ୍ଧ୍ବ ଘର। ରାଇକିଆ ମାଣିକେଶ୍ବରୀ ପଞ୍ଚାୟତ ଡଙ୍ଗୀସୀ ଗାଁ ପାହାଡ଼ରେ ଘଟିଛି ଏହି ଅଘଟଣ। ଭୂସ୍ଖଳନ ହୋଇ ଆସିଥିବା ପାହାଡ଼ ପାଣିରେ ଭାସିଯାଇଛି ଘର। ବାସନ୍ତୀପଲ୍ଲୀରେ ବିରାଟକାୟ ଗଛ ଉପୁଡ଼ି ପଡ଼ି ବିଦ୍ୟୁତ ସରବରାହ ବନ୍ଦ ରହିଛି। ଫୁଲବାଣୀ ସହର ଉପକଣ୍ଠ ଦେଇ ଯାଇଥିବା ସାଲୁଙ୍କି ନଦୀ ଫୁଲିବା ଫଳରେ ନଦୀଖଣ୍ଡିସାହି-ଡାକପାଲା ବ୍ରିଜ ଉପରେ ବନ୍ୟାପାଣି ଲହଡ଼ି ମାରୁଛି। ଟିକାବାଲି ବାହାଡାସାହି ପୋଲ ଉପରେ ୨ ଫୁଟର ବନ୍ୟାପାଣି ବହୁଥିବା ବଳରେ ଟିକାବାଲି-ରାଇକିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ସେହିପରି ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବାଲିବାଡ଼ ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଖସି ଘାଟି ରାସ୍ତା ଅବରୋଧ ହୋଇଛି। ଫଳରେ ବାଲିବାଡ଼ ଗାଁ ସମେତ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଅନ୍ୟପଟେ ଲଗାଣ ବର୍ଷାରେ ଉବୁଟୁବୁ ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବିଭିନ୍ନ ନଦୀ ଓ ଡ୍ୟାମ୍ର ଜଳସ୍ତର। ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଉପୁଜିଛି। ସୋରଡ଼ାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏକାଧିକ ଗାଁରେ ପଶିଛି ବନ୍ୟାପାଣି।
ସାନଖେମୁଣ୍ଡିରେ ତପ୍ତପାଣି ନାଳର ବନ୍ୟାପାଣିରେ ଧୋଇଯାଇଛି ବ୍ରିଜ୍। ଟି ଗୋବିନ୍ଦପୁରରୁ ଘୋଡ଼ାଆମ୍ବ ଗୋଛାଗୁଡ଼ା ରାସ୍ତା ପଟାଶାଳ ନିକଟରେ ଧୋଇଯାଇଛି। ଯାହାଫଳରେ ଧରାକୋଟ ବ୍ଲକର ସାବା ଓ ବଳରାମପୁର ପଞ୍ଚାୟତର ୨୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଅନ୍ୟପଟେ ଚିକିଟି ଭୀମପୁର ଗାଁରେ ପାଣି ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ୫ ଘଣ୍ଟା ପରେ ୧୪ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍। ବାହୁଦା ନଦୀ ଓ ବାଘଲଟି ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଫସିଥିଲେ।