ଶଙ୍ଖ ଭବନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବିଜୁ ବାବୁ ଥିଲେ ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ

ବିଜେପି ସରକାରରେ ନାରୀ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ: ନବୀନ

ଭୁବନେଶ୍ୱର, ୦୮/୦୩: ଶଙ୍ଖ ଭବନରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହି ଅବସରରେ ଆୟୋଜିତ ସମାବେଶକୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଶୁଣିବାକୁ କେହି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ବିଜୁ ଜନତା ଦଳ ମା’ ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣରେ ବିଶ୍ୱାସ କରେ। ଅନ୍ୟ ଦଳମାନଙ୍କ ପରି ଲୋଳ ଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତିକରଣ ପାଇଁ ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି। ବିଜେଡି ସରକାର ସମୟରେ ମା’ ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ ମାନଙ୍କୁ ବିକାଶର ମୁଖ୍ୟ ଧାରାକୁ ଆଣିଥିଲା। ମା’ ମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶର ବାର୍ତ୍ତାବହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜର ବୃହତ୍ତର ବିକାଶରେ ମହିଳାମାନଙ୍କ ଗୁରୁତ୍ୱକୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ହିଁ ଥିଲେ ସାରା ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ। ମା’ ମାନଙ୍କ ପ୍ରକୃତ ସଶକ୍ତିକରଣ ସହ ମା’ ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀମାନେ ଉଦବୋଧନ ଦେଇଥିଲେ।