୬୯ତମ ସର୍ବ ଭାରତୀୟ ରେଳବାଇ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ (ପୁରୁଷ) ଲିଗ୍ ମ୍ୟାଚ୍ ସମ୍ବଲପୁରରେ ଉଦଘାଟିତ

ସମ୍ବଲପୁରର ରେଳବାଇ ଷ୍ଟାଡିୟମ ଏବଂ ଭିଏସଏସ ଷ୍ଟାଡିୟମରେ ୮ ରୁ ୧୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି।

ଭାରତୀୟ ରେଳବାଇର ସାତଟି ଦଳର ଅଂଶଗ୍ରହଣ

ସମ୍ବଲପୁର, ୦୮/୦୩: ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ECoRSA) ର ତତ୍ତ୍ୱାବଧାନରେ ୬୯ତମ ସର୍ବ ଭାରତୀୟ ରେଳବାଇ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ (ପ୍ଲେଟ୍ ଗ୍ରୁପ୍) ୨୦୨୫-୨୬ ପାଇଁ ଲିଗ୍ ମ୍ୟାଚ୍ ୦୮ ରୁ ୧୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମ୍ବଲପୁରରେ ଅନୁଷ୍ଠିତ ହେଉଛି। ଉଦଘାଟନୀ ସମାରୋହରେ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଟୁର୍ନାମେଣ୍ଟର ଉଦଘାଟନ ଘୋଷଣା କରିଥିଲେ ଏବଂ ଖେଳାଳିମାନଙ୍କ ସହିତ ପରିଚୟ କରାଇଥିଲେ। ସମ୍ବଲପୁରର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ମନଜିତ୍ ସିଂହ ସାନସନୱାଲ ମଧ୍ୟ ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ଉଦଘାଟନୀ ମ୍ୟାଚ୍ ପୂର୍ବତଟ ରେଳପଥ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ପୂର୍ବତଟ ରେଳପଥ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳପଥ 20 ଓଭରରେ ୯ ୱିକେଟ ହରାଇ ୧୫୫ ରନ କରିଥିଲା। ଲକ୍ଷ୍ୟକୁ ପିଛା କରି; ପୂର୍ବତଟ ରେଳପଥ ୧୮.୧ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିଥିଲା ଏବଂ ଛଅ ୱିକେଟରେ ମ୍ୟାଚ୍ ଜିତିଥିଲା। ପୂର୍ବତଟ ରେଳପଥର ଅଭିଷେକ ଯାଦବ ୫୩ ରନ କରିଥିଲେ ଏବଂ ଗୋଟିଏ ୱିକେଟ ନେଇଥିଲେ, ତାଙ୍କୁ “ପ୍ଲେୟାର ଅଫ୍ ଦି ମ୍ୟାଚ୍” ଭାବରେ ବିବେଚିତ କରାଯାଇଥିଲା।

ସମ୍ବଲପୁରରେ ଲିଗ୍ ମ୍ୟାଚରେ ମୋଟ ସାତଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକ ହେଉଛି ପୂର୍ବତଟ ରେଳପଥ, ଦକ୍ଷିଣ ରେଳପଥ, ଦକ୍ଷିଣ କେନ୍ଦ୍ରୀୟ ରେଳପଥ, ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF), ରେଳ କୋଚ୍ ଫ୍ୟାକ୍ଟ୍ରି (RCF), ପଟିଆଲା ଲୋକୋମୋଟିଭ୍ ୱାର୍କସ୍ (PLW) ଏବଂ ଆରଡିଏସଓ (RDSO)। ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ସମ୍ବଲପୁର ରେଳବାଇ ଷ୍ଟାଡିୟମ ଏବଂ ସମ୍ବଲପୁରର VSS ଷ୍ଟାଡିୟମରେ ଆୟୋଜିତ ହେଉଛି। ୯ ମାର୍ଚ୍ଚରେ ରେଳବାଇ ଷ୍ଟାଡିୟମରେ ସକାଳ ୯ଟାରୁ ୧୨.୩୦ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ବନାମ ରେଳ କୋଚ୍ ଫ୍ୟାକ୍ଟ୍ରି ମଧ୍ୟରେ ଗୋଟିଏ ମ୍ୟାଚ୍ ଏବଂ ଭିଏସଏସ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯିବ, ପ୍ରଥମ ମ୍ୟାଚ୍ ସକାଳ ୯ଟାରୁ ୧୨.୩୦ ପର୍ଯ୍ୟନ୍ତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ବନାମ ଆରଡିଏସଓ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ୧.୩୦ ରୁ ୧୭.୦୦ ପର୍ଯ୍ୟନ୍ତ ପଟିଆଲା ଲୋକୋମୋଟିଭ୍ ୱାର୍କ୍ସ ବନାମ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମଧ୍ୟରେ ଖେଳାଯିବ।