ଆଇସିଏଆର୍‌-ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

‘ମହିଳା ଉପଯୋଗୀ ଜଳକୃଷିରେ ନୂତନ ପ୍ରଯୁକ୍ତି ବିଜ୍ଞାନର ପ୍ରୟୋଗ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, ୦୯/୦୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କୌଶଲ୍ୟାଗଂଗସ୍ଥିତ ଆସିଏଆର୍‌-କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ‘ମହିଳା ଉପଯୋଗୀ ଜଳକୃଷିରେ ନୂତନ ପ୍ରଯୁକ୍ତି ବିଜ୍ଞାନର ପ୍ରୟୋଗ’ ଶୀର୍ଷକ ଏକ କର୍ମଶାଳା କୌଶଲ୍ୟାଗଂଗସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍‌ରୁ ପ୍ରାୟ ୧୦୦ ମହିଳା କୃଷକ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡ. କାନ୍ତାଦାସ ମହାପାତ୍ର ଉପସ୍ଥିତ ମହିଳା କୃଷକ ମାନଙ୍କର ଜୀବିକା ଉପାର୍ଜନ ପାଇଁ ମଧୁର ଜଳ ଜୀବ ପାଳନ ସମ୍ବନ୍ଧରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ସିଫାର ପ୍ରଧାନ ବୈଜ୍ଞାନିକ ଡ. ସତ୍ୟନାରାୟଣ ସେଠୀ ‘ପୋଷଣୀୟ ଜଳକୃଷି ନିମନ୍ତେ ପ୍ରାକୃତିକ କୃଷି’, ଡ. ଚନ୍ଦ୍ରକାନ୍ତ ମିଶ୍ର ରଂଗୀନ ମାଛ ଚାଷ ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳ ସୁଶ୍ରୀ ପ୍ରଜ୍ଞା ପାରଂଗମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ମହିଳା ସଶକ୍ତୀକରଣ ପାଇଁ ଗ୍ରାମୀଣ ବିକାଶ ଅପରିହାର୍ଯ୍ୟ ଓ ମହିଳା ମାନଙ୍କର ରୋଜଗାର ବୃଦ୍ଧି ହେଲେ ମହିଳା ସଶକ୍ତୀକରଣ ସମ୍ଭବ ହେବ । ସେଥିପାଇଁ ଜଳକୃଷି କ୍ଷେତ୍ରରେ ମହିଳାମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀ କରିବା ଆବଶ୍ୟକ । ତତ୍‌ପରେ ନିର୍ଦ୍ଦେଶକ ଡ. ପି. କେ. ସାହୁ ମହିଳାମାନଙ୍କର ସଶକ୍ତୀରଣ ପାଇଁ ସିଫା ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକର ଅବତାରଣା କରିଥିଲେ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଡ. ସାହୁ ମହିଳାମାନଙ୍କୁ ଅବଗତ କରାଇଥିଲେ । ପ୍ରାକ୍ତନ ବୈଜ୍ଞାନିକ ଡ. କାନ୍ତାଦାସ ମହାପାତ୍ର ଓ ଡ. ବି. ଆର୍‌. ପିଲାଇ ସମ୍ମାନୀତ ଅତିଥିଭାବେ ଯୋଗଦାନ କରି ଉଦ୍ୟୋଗ ବିକାଶ କ୍ଷେତ୍ରରେ ମହିଳାମାନେ ଯୋଗଦାନ କଲେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି କହିଥିଲେ । ସାରା ର ଜୀବି ମେମ୍ବର ସୁଶ୍ରୀ କାନ୍ତା ମହାନ୍ତି ଏ ବର୍ଷର ବିଷୟବସ୍ତୁ “ଗିଭ୍ ଟୁ ଗେନ୍‌” ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବରିଷ୍ଠ ବୈଜ୍ଞାନିକ ରାକ୍ଷୀ କୁମାରୀ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ପ୍ରଶାସନିକ ଅଧିକାରୀ ସୁଜନ ସୋ ଧନ୍ୟବାଦ ଅର୍ପଣ କରିଥିଲେ ।