କୋଣାର୍କ, ୧୭।୦୩: ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ମୃତ ଡଲଫିନ ଭାସୁଥିବା ଦେଖିବାକୁ ମିଳିଛି। ଏହି ବଟଲ ନୋଜ୍ ଡଲଫିନ ସମୁଦ୍ର ନୀଳ ଜଳ ରାଶିରେ ଭାସୁଥିବା ଦୃଶ୍ୟମାନ ହୋଇଥିଲା। ଏହାକୁ ଦେଖି ନୋଳିଆ ମତ୍ସ୍ୟଜୀବୀ କୂଳକୁ ଆଣିଥିଲେ। ଖବର ପାଇ କୋଣାର୍କ ବନବିଭାଗ କର୍ମଚାରୀ ପହଞ୍ଚି ଡଲଫିନକୁ ବ୍ୟବଛେଦ ନିମନ୍ତେ କୋଣାର୍କ ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିଲେ। ଡ଼ଲଫିନଟି ସମୁଦ୍ର ମଧ୍ୟରେ କୌଣସି ଡଙ୍ଗା କିମ୍ବା ଟ୍ରଲର ମାଡରେ ଆହତ ହୋଇ ସମୁଦ୍ର କୂଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ବ୍ୟବଛେଦ ପରେ ଏହାକୁ ପୋତି ଦିଆଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି।