ଆଜି ରାତିରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ସିତ୍ରାଙ୍ଗ

ସମୁଦ୍ର ଭିତରେ ସକ୍ରିୟ ରହି ବଳ ଗୋଟାଉଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ଆଗାମୀ ୬ ଘଣ୍ଟା ଭିତରେ ସିତ୍ରାଙ୍ଗ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଦେଇ ସମୁଦ୍ର ଭିତରେ ବାଂଲାଦେଶ ମୁହାଁ ହେବ ବୋଲି ସୂଚନା ରହିଛି । ଏବେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ସିତ୍ରାଙ୍ଗ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରୁଛି ।

ସାଗର ଦ୍ୱୀପପୁଞ୍ଜରୁ ଦକ୍ଷିଣ-ପୂର୍ବ ଦିଗରେ ବାତ୍ୟା ସିତ୍ରାଙ୍ଗ ୨୨୦ କିଲୋମିଟର ଦୂରେ ରହିଛି । ସେହିପରି ବାଂଲାଦେଶର ବାରିସାଲ ଉପକୂଳଠାରୁ ୩୨୦ କିଲୋମିଟର ଦୂରେ ଅଛି ସାମୁଦ୍ରିକ ଝଡ । ବାତ୍ୟା ସିତ୍ରାଙ୍ଗ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗରେ ଗତି କରି ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡର ରୂପ ଧାରଣ କରିବ । ଏବେ ବାତ୍ୟା ପ୍ରଭାବରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ରହିଥିବା ବେଳେ ଶହେ କିଲୋମିଟର ବେଗରେ ଝଟକା ଦେଉଛି ।