୫.୫୬ କୋଟି ଟଙ୍କା ଠକେଇ, ବାପା-ମା’-ପୁଅ ଗିରଫ

ବାପାଙ୍କ ସହ ମିଶି ହଡ଼ପ କରିଥିଲେ ସରକାରୀ ପାଣ୍ଠି

ଭଦ୍ରକ, ୧୯/୦୩: ଆଜି ୫.୫୬ କୋଟି ଟଙ୍କା ହେରଫେର ଅଭିଯୋଗରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ପାଣ୍ଠିର ବିପୁଳ ଆତ୍ମସାତ ଘଟଣାରେ ସମ୍ପୃକ୍ତି ପାଇଁ ଭିଜିଲାନ୍ସ ଅଧିକାରୀମାନେ ପ୍ରଦୀପ ମହାନ୍ତିଙ୍କ ପୁଅ ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ (ଭଦ୍ରକ)ର ଶାଖା ମୁଖ୍ୟ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଯାଜପୁର କୋରେଇ BEO ଅଫିସରୁ ୫.୫୬ କୋଟି ଟଙ୍କା ଠକେଇ ହୋଇଥିଲା। ଏହି ଘଟଣାରେ ପ୍ରଥମେ ଭଦ୍ରକର ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଶାଖା ମୁଖ୍ୟ ଗିରଫ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ମାତୃପ୍ରସାଦ ତାଙ୍କ ବାପା ପ୍ରଦୀପ ମହାନ୍ତିଙ୍କ ସହ ମିଶି ଏହି ଠକେଇ କରିଥିଲେ। ପ୍ରଦୀପ ମହାନ୍ତି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ IDକୁ ଟାର୍ଗେଟ୍‌ କରି କରୁଥିଲେ ଠକେଇ। ୬ ବର୍ଷ ଧରି ଚାଲିଥିଲା ଏହି ବଡ଼ ଧରଣର ସ୍କାମ୍।

ହେରଫେର ହୋଇଥିବା ଅର୍ଥ ପ୍ରଦୀପ ମହାନ୍ତି, ତାଙ୍କ ସ୍ତ୍ରୀ, ପୁଅ ମାତୃପ୍ରସାଦ ମହାନ୍ତି ଏବଂ ଅନ୍ୟମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଥିଲା। ହେଲେ ଫେରାର ହୋଇ ଯାଇଥିଲେ ପ୍ରଦୀପ ଓ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତି। ଆଜି ଭଦ୍ରକ ଚରମ୍ପାର ଏକ ହୋଟେଲରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ। ସେମାନେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ସେମାନଙ୍କୁ ପଚରାଉଚରା କରାଯାଉଛି।