ମହୋତ୍ସବ ଦେଖାଇଛି କୋଟିକୋଟି ଗିଳିବାର ବାଟ

ଯଯାତି ମହୋତ୍ସବ ନାଁରେ ୫୦ କୋଟି ଟଙ୍କା ଚାନ୍ଦା ଆଦାୟ

ଯାଜପୁର, ୨୦/୦୩: ନାଲିଆଖି ଦେଖାଇ କୋଟିକୋଟି ଟଙ୍କାର ଚାନ୍ଦା ଆଦାୟ କରିବା ପରେ ବେଧଡକ ଚଳୁ । କଳା ଟଙ୍କାକୁ ଧଳା କରି ଅଭିନବ ଉପାୟରେ ଚଳୁ କରିବାର ବାଟ ଦେଖାଇଛି ଜିଲାର ବିଭିନ୍ନ ସ୍ଥାନରେ ପାଳନ ଚାଲିଥିବା ମହୋତ୍ସବ । ସୁକିନ୍ଦାରେ ଶିଳ୍ପ ମହୋତ୍ସବ ଚାନ୍ଦା ଟଙ୍କାରୁ ୧କୋଟି ୯୬ ଲକ୍ଷକୁ ସିଧା ସଳଖ କୋଠି ଭିତରେ କଣା କରି ଚଳୁ କରିଦେଲେ । ଏବେ ଯାଜପୁରରେ ଜିଲା ମହୋତ୍ସବ ଯଯାତୀ ପାଳନ କରିବାକୁ ଆଦାୟ ଚାଲିଛି କୋଟିକୋଟି । ଏଠି ମଧ୍ୟ ଗିଳିବାକୁ ଗିଳାଳୀ ମାନେ ପାଟି ଆଁ କରି ବସିଛନ୍ତି । ତଳ ତଳୁଆ ମାନଙ୍କ ତଂଟିରେ ବଇଁଶି କଂଟା ବାନ୍ଧି ଟାଣିବାରେ ଲାଗିଛନ୍ତି । ଜିଲାରେ ନିଯୁକ୍ତ ବଡ ବଡ ଗୁମାସ୍ତା ମାନେ ଚାନ୍ଦା ପାଇଁ ଏତେ ଜୋର୍‌ରେ ଭିଡି ଦେଉଛନ୍ତି ଯେ ବିଚରା ତଳତଳୁଆ କର୍ମଚାରୀ ମାନେ ଝାଳନାଳ ହୋଇ ପଡିଲେଣି । ଜିଲା ମହୋତ୍ସବ ପାଇଁ ସାଧାରଣ ଆରଆଇ ଟିଏ କୁ ସର୍ବନିମ୍ନ ୫ ହଜାର ଦେବାକୁ ବାଧ୍ୟ କରାଯାଉଥିବା ବେଳେ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା କନିଷ୍ଟ ଯନ୍ତ୍ରୀଙ୍କୁ ପ୍ରତ୍ୟେକ ୧୦ ହଜାରରୁ ଦୁଧିଆଳୀ ବିଭାଗ ଅନୁଯାଇ ୫୦ ହଜାର ଯାଏଁ ଚାନ୍ଦା ଦେବାକୁ କଡା ନିର୍ଦେଶ ହୋଇଥିବା ଅଭିଯୋଗ ହେଲାଣି । ସୁକିନ୍ଦା ଶିଳ୍ପ ମହୋତ୍ସବ ଆକାଉଂଟ୍‌ରୁ ୧ କୋଟି ୯୬ ଲକ୍ଷ ଚଳୁକରିଦେବା ଖବର ପଦାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ପ୍ରଥମେ ଶିଳ୍ପ ମହୋତ୍ସବ ଆକାଉଂଟ୍‌ରୁ ନିର୍ଦିଷ୍ଟ ୨୨ ଜଣଙ୍କ ଆକାଉଂଟ୍‌କୁ ଏହି ଟଙ୍କା ଟ୍ରାନ୍ସଫର ହୋଇ ଯିବାପରେ ନଗଦ ଆକାରରେ ଉଠାଇ ଝାମ୍ପିନେଲେ ଚର୍ଚ୍ଚିତ ବ୍ୟକ୍ତି । ଚାନ୍ଦା ଅର୍ଥ ଆଦାୟ କରିବାକୁ ଗତ ୨୪.୦୧.୨୦୨୫ରିଖରେ ଯାଜପୁରରୋଡ୍ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରେ ଗୋଟିଏ ଯୁଗ୍ମ ସେଭିଂସ୍ ଜମାଖାତା ଖୋଲାଯାଇଛି ଯାହାର ନମ୍ବର – ୨୯୮୦୦୧୦୦୦୧୩୫୯୯ ରହିଥିବା ଜଣାପଡିଛି । ଏହି ଖାତାରୁ ହିଁ ମନଇଛା ଲୁଟି ନେଇଥିବା ଘଟଣା ପ୍ରଘଟ ହୋଇ ପଦାକୁ ଆସିଛି । ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହି ଟଙ୍କାରୁ ଖୋଦ୍ ମହୋତ୍ସବ କମିଟିର ସଭାପତି ପ୍ରଶାନ୍ତ ରାୟଙ୍କ ବ୍ୟକ୍ତିଗତ ଖାତାକୁ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ୧୦ଲକ୍ଷ ଯାଇଛି , ୩୦ ତାରିଖରେ ଜନୈକ ପ୍ରଶାନ୍ତ ରାଉତଙ୍କ ଖାତାକୁ ୧୦ ଲକ୍ଷ , ଫେବୃଆରୀ ୨ରେ ସୁଚିସ୍ମିତା ବୋଇତାଇଙ୍କ ଖାତାକୁ ୫ଲକ୍ଷ, ଶିବ ପ୍ରସାଦ ରାଉତ୍‌ଙ୍କ ଖାତାକୁ ୫ଲକ୍ଷ , ସଦାନନ୍ଦ ଜେନାଙ୍କ ଖାତାକୁ ୧୦ଲକ୍ଷ, ତପନ କୁମାର ଜେନାଙ୍କ ଖାତାକୁ ୫ଲକ୍ଷ , ଦେବେନ୍ଦ୍ର କୁମାର ରାଉତ୍‌ଙ୍କ ଖାତାକୁ ୫ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଫେବୃଆରୀ ୪ ତାରିଖରେ ବିଜୟ କୁମାର ଦାସଙ୍କ ଖାତାକୁ ୧୩ ଲକ୍ଷ , ନିବେଦିତା ବୋଇତାଇଙ୍କ ଖାତାକୁ ୧୫ ଲକ୍ଷ , ଫେବୃଆରୀ ୬ ତାରିଖରେ ଜନୈକ ସୁଶାନ୍ତଙ୍କ ଖାତାକୁ ୪ଲକ୍ଷ ୬୫ ହଜାର , ଶ୍ୱେତାପଦ୍ମା ଦାସଙ୍କ ଖାତାକୁ ୫ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ସେହି ୬ ତାରିଖରେ ଜନୈକ ରୁତୁପର୍ଣ୍ଣ ଦାସଙ୍କ ଖାତାକୁ ୪ଲକ୍ଷ ଏବଂ ୯ ତାରିଖରେ ପୁଣି ୫ ଲକ୍ଷ , ୬ ତାରିଖରେ ସୁନିଲ୍ କୁମାର ବେହେରା (ଆଶାଲତା)ଙ୍କ ଖାତାକୁ ୫ଲକ୍ଷ , ପୁଣି ୯ ତାରିଖରେ ୫ ଲକ୍ଷ , ସେହି ୬ ତାରିଖରେ ଅଭିଷେକ୍ ସିଂ ସାମନ୍ତଙ୍କ ଖାତାକୁ ୫ଲକ୍ଷ ଏବଂ ପୁଣିଥରେ ୯ ତାରିଖରେ ୫ଲକ୍ଷ , ୬ ତାରିଖରେ ସୈାମ୍ୟ ରଞ୍ଜନ ମହାନ୍ତଙ୍କ ଖାତାକୁ ୫ ଲକ୍ଷ , ନିରୁପମା ସାମଲଙ୍କ ଖାତାକୁ ୧୦ ଲକ୍ଷ , ୯ ତାରିଖରେ ଉତମ କୁମାର ଦ୍ୱିବେଦୀଙ୍କ ଖାତାକୁ ୧୦ ଲକ୍ଷ , ୧୦ ତାରିଖରେ କୁଶିଦା ବେଗମ୍‌ଙ୍କ ଖାତାକୁ ୭ଲକ୍ଷ , ୧୧ ତାରିଖରେ ଅଜିତ୍ କୁମାର ଦାସଙ୍କ ଖାତାକୁ ୪ଲକ୍ଷ ୪୫ ହଜାର ୭୧୬ ଟଙ୍କା ଏବଂ ପୁଣିଥରେ ୧୮ ତାରିଖରେ ୮୬ ହଜାର , ୧୧ ତାରିଖରେ ରତିକାନ୍ତ ବେହେରାଙ୍କ ଖାତାକୁ ୧୦ଲକ୍ଷ , ୧୮ ତାରିଖରେ ଜନୈକ ମିଲିରାଣୀ ଚୈାଧୁରୀଙ୍କ ଖାତାକୁ ଏକକାଳୀନ ୩୨ ଲକ୍ଷ ଏବଂ ପିଙ୍କୁ ଝାଙ୍କ ଖାତାକୁ ୪୨ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି । ମଜାଦାର କଥା ହେଉଛି ବ୍ୟକ୍ତିଗତ ଖାତାକୁ ଟଙ୍କା ଯାଇଥିବା ସଂପୃକ୍ତ ୨୨ ଜଣଙ୍କୁ କେହି ଜାଣନ୍ତି ନାହିଁ । ସବୁ ଟଙ୍କାକୁ । ଶିଳ୍ପ ମହୋତ୍ସବ ସରିବା ପରେ ଆରମ୍ଭ ହୋଇଗଲା ଜିଲା ମହୋତ୍ସବ । ଜିଲା ପ୍ରଶାସନରେ ଚେୟାର ମାଡି ବସିଥିବା ହାତ ଗଣତି ମାତ୍ର କେଇଜଣ ବଡବଡ ପ୍ରଶାସକ ବା ବାହୁବଳୀ ସରକାରୀ ଗୁମାସ୍ତା ଏଠି ହର୍ତାକର୍ତା ସାଜିଛନ୍ତି । ଜିଲାସାରା ଅଦାୟ ଚାଲଛିି କୋଟି କୋଟିର ବଟି । ଚୋରା ଲଘୁ ଖଣିଜ ମାଫିଆଙ୍କ ଠାରୁ ଅ।।ରମ୍ଭ କରି ମଦ ବେପାରୀ ଯାଏଁ ସମସ୍ତଙ୍କୁ ତାଗିଦା କରାଯାଇଛି । ପ୍ରଶାସନରେ କାର୍ଯ୍ୟ କରୁଥିବା ଆରଆଇ , କିରାଣୀ ଠାରୁ ଆରମ୍ଭ କରି ବିଭିନ୍ନ ଲାଇନ୍ ବିଭାଗରେ ଥିବା କନିଷ୍ଟ ଯନ୍ତ୍ରୀ. ପୋଲିସ ଥାନା , କୁଆଡେ ସମସ୍ତଙ୍କ ନାଁ ଚିଠାରେ ଲେଖା ଯାଇଛି । ଏମାନେ ଯେତିକି ଚାନ୍ଦା ଦେବେ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ ଗୁମାସ୍ତା ମାନଙ୍କ ପାଖକୁ ଦୈାଡୁଥିବା ବିଚରା ପ୍ରଜା ପାଖରୁ ତାଠାରୁ କେଇଗୁଣ ଅଧିକ ଅସୁଲ କରିବେ । କଳିଙ୍ଗନଗରରେ ଥିବା ବିଭିନ୍ନ କଳକାରଖାନା ମାଲିକ ମାନେ ତ ପ୍ରତିବର୍ଷ ଚାନ୍ଦା ଦେଇଦେଇ କୁଆଡେ ନାକେଦମ୍ ହୋଇ ଗଲେଣି । ସବୁ ମହୋତ୍ସବ ପାଇଁ ପ୍ରଥମେ ଏହି କାରଖାନା ମାଲିକ ମାନେ ହିଁ ବଳି ପଡୁଥିବା ଅଭିଯୋଗ ହେଉଛି । ଏଠି ମହୋତ୍ସବ ଆଳରେ ଗୁମାସ୍ତା ମାନେ ଆଦାୟ କରି ଦେଖାଇବେ ଯେତିକି ଚଳୁ କରିବେ ତାଠାରୁ ବହୁ ଅଧିକ । ଇଏ ହେଉଛି ମହୋତ୍ସବ ଆଳରେ ମୋଟା ଅଙ୍କର ଟଙ୍କା ଚଳୁ କରିବା ସବୁଠାରୁ ସୁବିଧା ଆଉ ସହଜ ଉପାୟ । କେଉଁ ମହୋସ୍‌ôବ ପାଇଁ କାହା ପାଖରୁ କେତେ ଆଦାୟ ହେଲା , କେତେ କେଉଁ ବାଟରେ ଖର୍ଚ୍ଚ ହେଲା ନାଁ ତାର ହିସାବ କାହା ପାଖରେ ଅଛି ନାଁ ଏବାବଦରେ ସରକାରଙ୍କ ପକ୍ଷରୁ କେବେ ଅଡିଟ୍ ହୋଇଛି ନାଁ ଆଗକୁ ହେବାର କିଛି ସମ୍ଭାବନା ରହିଛି । ଫଳରେ ସଂପୃକ୍ତ ଚର୍ଚ୍ଚିତ ବ୍ୟକ୍ତି ଓ ବଟିଖିଆ ଗୁମାସ୍ତା

ମାନଙ୍କ ପାଇଁ ମହୋତ୍ସବ ସତେ ଯେପରି ପୁଷମାସ ପାଲଟିଛି ।