‘ପିତାମାତା ପ୍ରଥମ ଭଗବାନ, ସେମାନଙ୍କ ଯତ୍ନ ହିଁ ଜୀବନର ବ୍ରତ ହେଉ: ଡ. ତିରୁପତି ପାଣିଗ୍ରାହୀ

ହାଇଟେକ୍‌ କ୍ୟାମ୍ପସ୍‌କୁ ଲୁହରେ ଭିଜାଇଲା ‘କୁହୁଡ଼ି’

ମଞ୍ଚରେ ପ୍ରଦର୍ଶିତ ହେଲା ସମ୍ପର୍କର ଅକୁହା ବ୍ୟଥା

ଭୁବନେଶ୍ବର, ୨୧ା୩ : ନିଜ ହାତଗଢ଼ା ଘର ଭିତରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଆଦର୍ଶ ବାବୁ ଦିନେ ‘ଅଲୋଡ଼ା ବୋଝ’ ପାଲଟିଯାନ୍ତି। ପୁଅ-ବୋହୂଙ୍କ କଟୁକ୍ତି ଓ ଅବହେଳା ତାଙ୍କ ଭିତରର ଆତ୍ମସମ୍ମାନକୁ ତିଳ ତିଳ କରି ମାରିଦିଏ। ଶେଷରେ, ପୁଅର ଶାନ୍ତି ପାଇଁ, ନିଜ ଛାତିର କୋହକୁ ଚାପି ଧରି ସେ ପାଦ ବଢ଼ାନ୍ତି ‘କୁହୁଡ଼ି-ଜରା ନିବାସ’ ର ସେହି ଅନ୍ଧକାର ଗଳିକୁ। ଅପରିଚିତ ଚେହେରା ଓ ନିଃସଙ୍ଗତାର ସେହି କାନ୍ଥ ଭିତରେ ସେ ଖୋଜନ୍ତି ନିଜର ସେହି ରକ୍ତର ସମ୍ପର୍କକୁ, ଯିଏ ତାଙ୍କୁ ଅଧାବାଟରେ ପର କରିଦେଇଛି। ସେଠାରେ ଖାଦ୍ୟ ମିଳେ ସତ, କିନ୍ତୁ ସ୍ନେହର ସେହି ଉଷୁମ ଟିକକ ମିଳେନାହିଁ। ଜୀବନର ସାୟାହ୍ନରେ ସେ କେବଳ ଶୂନ୍ୟତାକୁ ଚାହିଁ ରୁଦ୍ଧ ସ୍ୱରରେ କାନ୍ଦନ୍ତି।

ପର ଲୋକ ଆପଣାର ହେଲେ ସତ, କିନ୍ତୁ ନିଜ ରକ୍ତର ବିଶ୍ୱାସଘାତକତା ତାଙ୍କୁ ପ୍ରତି ମୁହୂର୍ତ୍ତରେ ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣା ଦିଏ। ମାତ୍ର ଏହି ଅମାବାସ୍ୟାର କୁହୁଡ଼ି ଭିତରେ ଆଲୋକର ଏକ କ୍ଷୀଣ କିରଣ ସାଜି ଉଭା ହୁଏ ତାଙ୍କ କୁନି ନାତୁଣୀ ରିୟା। ଏଭଳି ମର୍ମସ୍ପର୍ଶୀ କାହାଣୀକୁ ନେଇ ହାଇଟେକ୍ ମେଡ଼ିକାଲ କଲେଜ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘କୁହୁଡ଼ି’। ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ବିଦ୍ୟା କନକ ସୃଜନାନୁଷ୍ଠାନ’ର କଳାକାରଙ୍କ ଦ୍ୱାରା ପରିବେଷିତ ଏହି ନାଟକ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ବିଶେଷକରି କଲେଜର ଶତାଧିକ ମେଡ଼ିକାଲ ଛାତ୍ରଛାତ୍ରୀ ନାଟକଟିକୁ ଉପଭୋଗ କରିବା ସହ ସାମାଜିକ ମୂଲ୍ୟବୋଧର ଶିକ୍ଷା ପାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆ‌େୟାଜିତ ସଭାରେ ବିଶିଷ୍ଟ ଅତିଥି ଭାବେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଯୋଗଦେଇ ଏଭଳି ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ ଆଗାମୀ ପିଢ଼ି ପାଇଁ ପ୍ରେରଣା ଓ ଉପାଦେୟ ବୋଲି ମତପ୍ରକାଶ କରିଥିଲେ। ନିଜ ଜୀବନରେ ଘଟିଥିବା କିଛି ନିଚ୍ଛକ୍‌ ଘଟଣାକୁ ସେ ଅବତାରଣା କରିଥିଲେ। ପିଲାମାନେ ଯେତେ ବଡ଼ ହେଲେ ମଧ୍ୟ ନିଜ ପିତାମାତାଙ୍କ ତ୍ୟାଗ, ବଳିଦାନକୁ ଭୁଲିଯିବା ଉଚିତ ନୁହେଁ। କାରଣ ସେମାନେ ହିଁ ପ୍ରଥମ ଭଗବାନ ବୋଲି ଡ. ପାଣିଗ୍ରାହୀ କହିଥିଲେ। ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡା. ଦେବାନନ୍ଦ ମହାପାତ୍ର, ପ୍ରଶାସନିକ ଅଧିକାରୀ ଡା. ଗୋପେଶ୍ୱର ଆଚାର୍ଯ୍ୟ, ଫିଜିଓଥେରାପି କଲେଜ ଅଧ୍ୟକ୍ଷ ଡା. ଦୀପକ ସାମନ୍ତରାୟ, ଫାର୍ମାସି କଲେଜର ଅଧ୍ୟକ୍ଷ ଡା. ପ୍ରସନ୍ନ କୁମାର କର, ଉପ ନିର୍ଦେଶକ ଅନୀଲ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ କୌଶିକ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ଚିତ୍ତରଞ୍ଜନ ସାହାଣୀ।

ଗୋପୀନାଥ ବାରିକଙ୍କ ରଚିତ ଏହି ନାଟକର ନାଟ୍ୟରୂପ ଓ ନିର୍ଦେଶନାରେ ଥିଲେ ଅବକାଶ ମିଶ୍ର। ସଙ୍ଗୀତ ଦେଇଥିଲେ ମାନସ ପରିଡ଼ା। ନାଟକରେ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ- ଗୋବିନ୍ଦ ମହାପାତ୍ର, ରାଜେଶ ବଳବନ୍ତ ରାୟ, ପ୍ରଦୀପ୍ତ ସ୍ବାଇଁ, ମାନସ ପରିଡ଼ା, ରାଜେଶ ମଲିଆ, ଶୁଭକାନ୍ତ ପାଢ଼ୀ, ସରିତା ପ୍ରଧାନ, ସୌମ୍ୟା ସୁମନ ମହାନ୍ତି ଓ ନାଇନ୍‌ସି ନଇନିକା ମିଶ୍ର। ଆଲୋକରେ ସୀମନ୍ତ ମହାନ୍ତି, ମଞ୍ଚରେ ତ୍ରିମୂର୍ତ୍ତି ଆର୍ଟସ୍‌, ପୋଷାକ ଓ ରୂପ ସଜ୍ଜାରେ ଥିଲେ ମାମା ଚିତ୍ରାଳୟ।