ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ସରକାରୀ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨/୦୩: ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ସରକାରୀ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିୟମିତ ଯାଞ୍ଚ କରେଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମୟ ସମୟରେ ନିରୀକ୍ଷଣ କରିବା, ଅଗ୍ନି ସୁରକ୍ଷା ମାନର ସଠିକ ଭାବେ ପାଳନ କରିବା ନିମନ୍ତେ ଅଧିକାରୀଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ବୈଠକରେ ଆଲୋଚିତ ବିଷୟଗୁଡ଼ିକୁ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବା ଓ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ବିଭିନ୍ନ ମେଡିକାଲ୍ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।

ମନ୍ତ୍ରୀ ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ରୋଗୀଙ୍କ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦେବାକୁ କହିଥିଲେ । ସମସ୍ତ ହସ୍ପିଟାଲରେ ଅଗ୍ନିନିରୋଧକ ଯନ୍ତ୍ର ସଠିକ ଭାବରେ କାର୍ଯ୍ୟକ୍ଷମ ରହିବା ସହିତ ନିୟମିତ ଯାଞ୍ଚ ଓ ମକ୍ ଡ୍ରିଲ୍ କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ଏବଂ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀ ରୋଗୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ଓ ଏଥିରେ କୌଣସି ପ୍ରକାର ଅବହେଳା ସହ୍ୟ କରାଯିବ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ସମସ୍ତେ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ |

ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ , ସ୍ୱତନ୍ତ୍ର ସଚିବ ଡ଼ା. ବିଜୟ ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।