ନୂଆଦିଲ୍ଲୀ, ୨୨/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ସର୍ବାଧିକ ସମୟ ଧରି କାର୍ଯ୍ୟ କରି ଭାରତୀୟ ରାଜନୀତିରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ପବନ କୁମାର ଚାମଲିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ସିକିମର ମୁଖ୍ୟମନ୍ତ୍ରୀ ଭାବରେ ୮,୯୩୦ ଦିନ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ସରକାର ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳକୁ ମିଶାଇ ନେତୃତ୍ୱ ଭୂମିକାରେ ତାଙ୍କର ୨୫ ତମ ବର୍ଷରେ ପ୍ରବେଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସଫଳତା ଦଶନ୍ଧି ଧରି ନିରବଚ୍ଛିନ୍ନ ଜନସେବା ଏବଂ ସର୍ବୋଚ୍ଚ ସ୍ତରରେ ରାଜନୈତିକ ନେତୃତ୍ୱକୁ ପ୍ରତିଫଳିତ କରୁଛି। ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି ଏବଂ ୨୦୧୪, ୨୦୧୯ ଏବଂ ୨୦୨୪ ରେ ଲଗାତାର ତିନୋଟି ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ଯାହା ରାଜନୈତିକ ସ୍ଥାୟୀତ୍ୱ ଏବଂ ନିରନ୍ତର ଜନମତକୁ ସ୍ପଷ୍ଟ କରେ।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଅକ୍ଟୋବର ୭, ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୧ ମଇ ୨୦୧୪ ପର୍ଯ୍ୟନ୍ତ ଏହି ଦାୟିତ୍ଵରେ ରହି ଜାତୀୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୧୩ ବର୍ଷରୁ ଅଧିକ ସମୟ ପାଇଁ ରାଜ୍ୟର ନେତୃତ୍ୱ ନେଇଥିଲେ। ମୋଦି ମେ ୨୬, ୨୦୧୪ରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ଲୋକସଭାରେ ପୂର୍ଣ୍ଣ ବହୁମତ ହାସଲ କରିଥିବା ପ୍ରଥମ ଅଣ-କଂଗ୍ରେସ ନେତା ହୋଇଥିଲେ। ପରେ ସେ ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଥିଲେ ଯିଏ ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିଲେ ଏବଂ ଲଗାତାର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଥିଲେ।
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ YouTube ଚ୍ୟାନେଲରେ 30 ନିୟୁତ ସବସ୍କ୍ରାଇବର ହୋଇଥିଲା। ଫେବୃଆରୀ ମାସରେ, ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ୧୦୦ ନିୟୁତ ଫଲୋର୍ସ ମଧ୍ୟ ଅତିକ୍ରମ କରିଥିଲେ। ଡିଜିଟାଲ ପ୍ଲାଟଫର୍ମରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଥମ ବିଶ୍ୱ ନେତା ଏବଂ ରାଜନେତା ହୋଇଥିଲେ। X ରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ୧୦୬.୪ ନିୟୁତ ଫଲୋର୍ସ ଅଛନ୍ତି।