ମହିଳା SSC ଅଧିକାରୀଙ୍କ ବଡ଼ ଜିତ୍; ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ସଶସ୍ତ୍ର ବାହିନୀରେ ଲିଙ୍ଗଗତ ସମାନତାକୁ ଜୋର ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ, ୨୪/୦୩: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଘୋଷଣା କରିଛନ୍ତି ଯେ ସେନା, ନୌସେନା ଓ ବାୟୁସେନାର ମହିଳା ସର୍ଟ ସର୍ଭିସ କମିଶନ (SSC) ଅଧିକାରୀଙ୍କୁ ସ୍ଥାୟୀ କମିଶନ (Permanent Commission – PC) ପ୍ରଦାନ କରିବାରେ ଅସ୍ୱୀକୃତି କେବଳ ବ୍ୟକ୍ତିଗତ ମୂଲ୍ୟାଙ୍କନ ଯୋଗୁଁ ନୁହେଁ, ବରଂ ବ୍ୟବସ୍ଥାଗତ ଭେଦଭାବ ଓ ବିଭେଦମୂଳକ ମୂଲ୍ୟାଙ୍କନ ପ୍ରକ୍ରିୟା ଯୋଗୁଁ ହୋଇଥିଲା। ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନ୍ୟାୟାଧୀଶ ଉଜ୍ଜଳ ଭୁୟାଁ ଓ ଏନ୍‌. କୋଟିସ୍ୱର ସିଂହ ଏହି ରାୟ ପ୍ରଦାନ କରିଛନ୍ତି।

ମହିଳା ଅଧିକାରୀଙ୍କୁ ପ୍ରଥମେ PC ପାଇଁ ଅଯୋଗ୍ୟ ବିବେଚନା କରାଯାଉଥିବାରୁ ସେମାନଙ୍କୁ କ୍ୟାରିୟର ଉନ୍ନତି ଯୋଗ୍ୟ ପାଠ୍ୟକ୍ରମ, କ୍ରାଇଟେରିଆ ନିଯୁକ୍ତି ଓ ଅନ୍ୟାନ୍ୟ ସୁଯୋଗ ପ୍ରଦାନ କରାଯାଉ ନଥିଲା। ଏଥି ଯୋଗୁଁ ସେମାନଙ୍କର ମେରିଟ୍ ସ୍କୋର କମ୍ ପଡ଼ୁଥିଲା ଓ ପରେ PC ପାଇଁ ଅଯୋଗ୍ୟ ବୋଲି ଗଣାଯାଉଥିଲା। ଏହାକୁ କୋର୍ଟ ବ୍ୟବସ୍ଥାଗତ ଭେଦଭାବ ବୋଲି କହିଛନ୍ତି।

ବର୍ଷକୁ ମାତ୍ର ୨୫୦ ମହିଳା ଅଧିକାରୀଙ୍କୁ PC ପାଇଁ ସୀମା ନିର୍ଦ୍ଧାରଣ ଅଯୌକ୍ତିକ, ଅନ୍ୟାୟ୍ୟ ଓ ମନମାନି। ପୁରୁଷ ଅଧିକାରୀମାନେ ଏହାକୁ କେବଳ ପୁରୁଷଙ୍କ ପାଇଁ ସଂରକ୍ଷିତ ବୋଲି ଆଶା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ଅନୁଚ୍ଛେଦ ୧୪୨ ଅନୁଯାୟୀ ପୂର୍ଣ୍ଣ ନ୍ୟାୟ ପାଇଁ କ୍ଷମତା ପ୍ରୟୋଗ କରି ସମସ୍ତ ମହିଳା SSC ଅଧିକାରୀଙ୍କୁ PC ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ୨୦୧୯, ୨୦୨୦ ଓ ୨୦୨୧ ମସିହାର ସିଲେକ୍ସନ୍ ବୋର୍ଡ୍‌ରେ PC ପାଇଁ ବିବେଚିତ ହୋଇଥିବା ମହିଳା ଅଧିକାରୀଙ୍କ ପୂର୍ବ ପ୍ରଦାନ କରାଯାଇଥିବା PC କୁ ବାତିଲ୍ କରାଯିବ ନାହିଁ। ଯେଉଁ ମହିଳା ଅଧିକାରୀମାନେ ମାମଲା ଚାଲିଥିବା ସମୟରେ ସେବାରୁ ମୁକ୍ତ ହୋଇଛନ୍ତି ବା ଇଣ୍ଟରଭେନର୍ ହୋଇଛନ୍ତି, ସେମାନଙ୍କୁ ଏକା ଥରେ ମୋଟ ୨୦ ବର୍ଷ ଚାକିରି ସହିତ ସମାନ ପେନସନ୍ ଓ ଅନ୍ୟାନ୍ୟ ଲାଭ ପ୍ରଦାନ କରାଯିବ। କିନ୍ତୁ ସେମାନେ ବକେୟା ବେତନ(ଏରିୟର)ପାଇବେ ନାହିଁ।

ଭବିଷ୍ୟତରେ ଏପରି ବ୍ୟବସ୍ଥାଗତ ଭେଦଭାବ ନ ହେବା ପାଇଁ ସେନାବାହିନୀର ତିନି ବିଭାଗରେ ନୂତନ ମୂଲ୍ୟାଙ୍କନ ପ୍ରକ୍ରିୟା ଓ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି।

୨୦୧୯ ପରେ PC ପାଇଁ ଆବେଦନ କରିଥିବା ମହିଳା SSC ଅଧିକାରୀଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଥିଲା। ଯାହା ଭେଦଭାବମୂଳକ ନୀତି ଯୋଗୁଁ ଅସ୍ୱୀକୃତ ହୋଇଥିଲା। କୋର୍ଟ କହିଛନ୍ତି ଯେ ମହିଳା ଅଧିକାରୀଙ୍କୁ କ୍ୟାରିୟର ଉନ୍ନତିରେ ସମାନ ସୁଯୋଗ ନ ଦେବା ଏକ ପ୍ରଣାଳୀଗତ ଅନ୍ୟାୟ ଥିଲା।