ଆଖି ବୁଜିଲେ ହରିଶ ରାଣା

ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାରୁ ମିଳିଲା ମୁକ୍ତି!

ନୂଆଦିଲ୍ଲୀ, ୨୪/୦୩: ଦିଲ୍ଲୀ ଏମ୍‌ସରେ ୩୨ ବର୍ଷୀୟ ହରିଶ ରାଣାଙ୍କ ମୃତ୍ୟୁ। ଦେଶରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିଲେ ହରିଶ୍। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହରିଶଙ୍କ ଲାଇଫ୍ ସପୋର୍ଟ କଢ଼ାଯାଇଥିଲା। ଯାହା ପରେ ତାଙ୍କର ଦେହାନ୍ତ ହୋଇଛି।

୧୧ ମାର୍ଚ୍ଚରେ ସର୍ବୋଚ୍ଚ ନ୍ୟାୟାଳୟ ହରିଶ ରାଣାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ଗତ ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିବା ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ କରିଥିଲେ। ଅଦାଲତ କହିଥିଲେ ଯେ ହରିଶ ରାଣାଙ୍କୁ ଏମ୍ସରେ ପାଲିଏଟିଭ୍ କେୟାରରେ ଭର୍ତ୍ତି କରାଯିବ ଯାହା ଦ୍ଵାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ।

ଯାହା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ହରିଶ ରାଣାଙ୍କୁ ମାର୍ଚ୍ଚ ୧୪ ତାରିଖରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ତାଙ୍କର ତରଳ ଖାଦ୍ୟ ବନ୍ଦ କରିଦିଆଯାଇଥିଲା ଏବଂ ମାର୍ଚ୍ଚ ୧୭ ତାରିଖରେ ପାଣି ମଧ୍ୟ ବନ୍ଦ କରିଦିଆଯାଇଥିଲା। ଫଳସ୍ୱରୂପ, ଗତ ୧୦ ଦିନ ଧରି ତାଙ୍କ ପାଖରେ ଖାଦ୍ୟ କିମ୍ବା ପାଣି ନଥିଲା।

ଗାଜିଆବାଦର ବାସିନ୍ଦା ଥିଲେ ହରିଶ ରାଣା। ୨୦୧୩ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ସେଠାରେ ପାଠ ପଢ଼ୁଥିବା ସମୟରେ, ସେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ ଏବଂ ତାଙ୍କର ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ, ଡାକ୍ତରମାନେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖିଥିଲେ ଏବଂ ସେବେଠାରୁ ସେ କୋମାରେ ଥିଲେ।

ହରିଶ ରାଣାଙ୍କ ବାପାମାଆ ତାଙ୍କ ପୁଅର ଆରୋଗ୍ୟ ପାଇଁ ଆଶା ଛାଡ଼ି ଦେଇଥିଲେ। ହରିଶ ୧୦୦% ଅକ୍ଷମ ଥିଲେ। ଫଳସ୍ୱରୂପ, ତାଙ୍କ ବାପାମାଆ କୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ୧୩ ବର୍ଷ କୋମାରେ ରହିବା ପରେ ଶେଷରେ ସୁପ୍ରିମକୋର୍ଟଙ୍କଠାରୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଥିଲା। ଇଚ୍ଛା ମୃତ୍ୟୁ ଅନୁମତି ପାଇବାରେ ହରିଶ ହେଉଛନ୍ତି ପ୍ରଥମ ଭାରତୀୟ।